ବାଲିଅନ୍ତା: ଭୁବେନେଶ୍ୱର ଓ କଟକ କମିସନରେଟ ପୁଲିସର ବିଭିନ୍ନ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଜଣେ ଦୁର୍ଦାନ୍ତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟକୁ ଆଜି ବାଲିଅନ୍ତା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା କୃଷ୍ଣପୁର ଶାସନ ଗ୍ରାମର ରାଜୀବ ଓରଫ ସମ୍ଭବକୁ ଗିରଫ ବେଳେ ପୁଲିସ ତା’ ନିକଟରୁ ୯ ହଜାର ଚୋରି ଟଙ୍କା ବି ଜବତ କରିଛି। ଗତମାସ ୧୬ ଓ ୧୭ ତାରିଖ ଦିନ ସମ୍ଭବ ଅତି ଚତୁରତାର ସହ ବାଳକାଟି ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍କୁ ଟଙ୍କା ଉଠାଇବାକୁ ଆସିଥିବା ଦୁଇ ଜଣଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲା। ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍ ଦାସଙ୍କ ସୂଚନାନୁଯାୟୀ ସମ୍ଭବ ନାମରେ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ଏକାଧିକ ଏଟିଏମ୍ ଲୁଟ୍ ମାମଲା ରହିଛି। ଗତ ୧୬ ତାରିଖରେ ବାଳକାଟି ଅଞ୍ଚଳର ସିଦ୍ଧେଶ୍ୱର ମହାନ୍ତିଙ୍କ ପତ୍ନୀ ଏଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇ ଚାଲିଯିବା ପରେ ସମ୍ଭବ ତାଙ୍କ ଆକାଉଣ୍ଟରୁ ୨୯ ହଜାର ଟଙ୍କା ଓ ତା’ ପରଦିନ ଅଭିଷେକ ନାମକ ଆଉ ଜଣେ ଯୁବକଙ୍କ ଆକାଉଣ୍ଟରୁ ସମାନ ଢଙ୍ଗରେ ୨୦ ହଜାର ଟଙ୍କା ଉଠାଇ ନେଇଥିଲା। ହେଲେ ଅଭିଷେକ ଉପସ୍ଥିତ ବୁଦ୍ଧି ଖଟାଇ ସମ୍ଭବକୁ କାବୁ କରି ନେଇ ତା ’ ନିକଟରୁ ଲୁଟ୍ ଟଙ୍କା ଜବତ କରିଥିଲେ। ଏ ସଂପର୍କରେ ଶ୍ରୀ ମହାନ୍ତିଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ୍ ନଂ ୧୬/୧୮ରେ ଏକ ମାମଲା ରୁଜୁ କରି ସମ୍ଭବକୁ ଧରିବା ପାଇଁ ଉଦ୍ୟମ କରିଥିଲା। ସମ୍ଭବକୁ ପୁଲିସ ଖୋଜୁଥିବା ଜାଣି ପାରି ସେ ଯାଜପୁର ଫେରାର ହୋଇଯାଇଥିଲା। ବାଲିଅନ୍ତା ଥାନା ପୁଲିସ ଗତକାଲି ସମ୍ଭବକୁ ସେଠାକାର ପୁଲିସ ସହାୟତାରେ ଧରିବାକୁ ସକ୍ଷମ ହୋଇଥିଲା। ଆଜି ତା’କୁ କୋର୍ଟ ଚାଲାଣ ପରେ ଜେଲ୍କୁ ପଠାଇ ଦିଆଯାଇଛି।
ଦୁର୍ଦାନ୍ତ ଏଟିଏମ୍ ଲୁଟେରା ସମ୍ଭବ ଯାଜପୁରରୁ ଗିରଫ
/sambad/media/post_attachments/wp-content/uploads/2018/02/Balianta-ATM-LUTERA.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)