ଭୁବନେଶ୍ୱର : ଜମି ଓ ଫ୍ଲାଟ୍ ଦେବାକୁ କହି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ଫେରାର୍‌ ଥିବା ଅଭିଯୁକ୍ତ ଡ୍ରିମ୍ ପାୱାର ଇନ୍ଫ୍ରାଷ୍ଟକ୍ଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି। ସେ ଓଡ଼ିଶା ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏୟାରପୋର୍ଟ‌ରେ ପୁଲିସ ମାଡ଼ି ବସିଛି। କୋର୍ଟଙ୍କ ଆଦେଶ ବଳରେ ବିଭିନ୍ନ ମାମଲାରେ ତାଙ୍କ ନାମରେ ୧୨ଟି ଜାମିନ ବିହୀନ ପରୱାନା ଜାରି ହୋଇଥିବା ଜଣାପଡ଼ିଛି। ଲକ୍ଷ୍ମୀସାଗର ଥାନାରେ ୬ଟି ମାମଲା, ଛତିଶଗଡ଼ରେ ଗୋଟିଏ ଓ ମଞ୍ଚେଶ୍ବର ଥାନାରେ ୪ଟି ମାମଲାରେ ସେ ମୋଷ୍ଟ ୱାଣ୍ଟେଡ୍‌ ରହିଛନ୍ତି।

Advertisment

ପୁଲିସ ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଜଗନ୍ନାଥ ମଠ ଲେନ୍‌ରେ ଅଭିଯୁକ୍ତ ଡ୍ରିମ୍ ପାୱାର ଇନ୍ଫ୍ରାଷ୍ଟକ୍ଚର ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ଖୋଲି ସୁଲଭ ମୂଲ୍ୟରେ ଜମି ଯୋଗାଇ ଦେବାକୁ ଘୋଷଣା କରିଥିଲା। ଲୋକମାନେ ଜମି ନେବା ପାଇଁ ଟଙ୍କା ଜମା କରିବା ଆରମ୍ଭ କରିଥିଲେ। ଟଙ୍କା ଜମା କରିବା ପରେ ହିତାଧିକାରୀଙ୍କ ନାମରେ ଜମି ପଞ୍ଜୀକରଣ ହେବ ବୋଲି କହିଥିଲା। ହେଲେ ପାଖାପାଖି ୩୦ଜଣଙ୍କଠାରୁ ୩ କୋଟିରୁ ଊର୍ଦ୍ଧ୍ବ ଜମା ନେଇ କାର୍ଯ୍ୟାଳୟ ବନ୍ଦ କରି ସ୍ମୃତି ରଞ୍ଜନ ଫେରାର୍‌ ହୋଇଯାଇଥିଲେ। ଏ ନେଇ ଠକେଇର ଶିକାର ହୋଇଥିବା ଲୋକ ଶ୍ରୀଲିଙ୍ଗରାଜ ଥାନା, ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୁକ୍ତଜଣକ ଛତିଶଗଡ଼ ଯାଇ ସେଠାରେ କାର୍ଯ୍ୟାଳୟ ଖୋଲିବା ସହ ଏଭଳି କୋଟି କୋଟି ଟଙ୍କା ଜମା ନେଇଥିଲେ। ସେଠାରୁ କାର୍ଯ୍ୟାଳୟ ବନ୍ଦ କରି ଫେରାର୍‌ ହୋଇଯାଇଥିଲା। ପରେ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଶାଖା ଖୋଲି ଠକେଇ କରିଥିବା ନେଇ ପୁଲିସ ସନ୍ଦେହ କରୁଛି। ଏଭଳି ୧୦ କୋଟିରୁ ଊର୍ଦ୍ଧ୍ବ ଠକିଥିବା ପୁଲିସ କହିଛି।