୭ ମାସ ପରେ ଧରାପଡ଼ିଲା : ମୋଷ୍ଟ ଓ୍ୱାଣ୍ଟେଡ୍ ଗେଡୁ ଗିରଫ

ଭୁବନେଶ୍ବର : ପ୍ରାଣାନ୍ତକ ଆକ୍ରମଣ ମାମଲା‌ରେ ଫେରାର୍‌ ଥିବା ଜଣେ ଅପରାଧୀକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନିର ଆଶିଷ ନାୟାର ଓରଫ ଗେଡୁ। ପୁଲିସ ସୂଚନା ଅନୁସାରେ, ୨୦୧୯ ଜୁଲାଇ ୧୯ ତାରିଖରେ ଆଶିଷ ତା’ର କେତେକ ସହଯୋଗୀଙ୍କ ସହ ମିଶି ଚିନ୍ତାମଣିଶ୍ବର ଅଞ୍ଚଳର ଶ୍ରୀନିବାସ ସାମନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଶ୍ରୀନିବାସଙ୍କୁ ଅଚେତ ଅବସ୍ଥାରେ ତାଙ୍କ ଘର ସାମ୍ନାରେ ଫିଙ୍ଗି ପଳାଇଥିଲା। ଏନେଇ ଶ୍ରୀନିବାସଙ୍କ ଭାଇ ଶ୍ରୀହରି ସାମନ୍ତରାୟ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ହେଁ ଅଭିଯୁକ୍ତଙ୍କର ପତ୍ତା ପାଇ ନ ଥିଲା। ଗେଡୁ ଘଟଣା ପରଠାରୁ ଫେରାର୍ ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଗେଡୁ ଘର ପାଖରେ ବୁଲିଥିବା ଖବର ପାଇ ପୁଲିସ ଗିରଫ କରିଥିଲା। ଗେଡୁ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଗଣ୍ଡଗାଳ, ମାରପିଟ୍ ଭଳି ମାମଲା ରହିଛି। ବର୍ଷକ ତଳେ ଏକ ମାମଲାରେ ଜେଲ୍ ଯାଇ ଜାମିନ୍‌‌‌‌ରେ ଆସିଥିଲା। ତା’ର ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଖୋଜୁଛି। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ତାକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର