ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଦୀର୍ଘ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ମକରା ଓରଫ ବିଜୟ ମହାରଣାକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ମକରାର ଘର ଚନ୍ଦକା କଣ୍ଟାବାଡ଼ରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଶତାବ୍ଦୀନଗରରେ ରୁହେ। ପୁଲିସ ତା’ଠାରୁ ଅପରାଧରେ ବ୍ୟବହୃତ ‘ପ୍ରେସ୍’ ଲେଖାଥିବା ଏକ ବାଇକ୍ ଜବତ କରିଛି। ଗତକାଲି ଜଣେ ମହିଳାଙ୍କଠାରୁ ଭ୍ୟାନିଟି ଛଡ଼ାଇ ନେଇ ଦ୍ରୁତ ଗତିରେ ଫେରାର୍ ହୋଇଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେବାରୁ ଲୋକମାନେ ଧରି ତାକୁ ପୁଲିସ ଜିମା ଦେଇଛନ୍ତି। ଖୋଳତାଡ଼ ବେଳେ ତା’ ନାମରେ ରାଜଧାନୀର ୭ଟି ଥାନାରେ ୨୮ ମାମଲା ରହିଥିବା ଜଣାପଡ଼ିଛି।
ପୁଲିସ ଜାଣିବାକୁ ପାଇଛି, ‘ପ୍ରେସ୍’ ଲେଖାଥିବା ଗାଡ଼ି ଚଢ଼ି ମକରା ଅପରାଧ ଘଟାଇବା ସହ ବିଭିନ୍ନ ସମୟରେ ଚେକିଂ ଓ ବ୍ଲକିଂରୁ ମଧ୍ୟ ଖସି ଯାଉଥିଲା। ରେମୁଣାର କୁଖ୍ୟାତ ଗାଡ଼ି ଚୋର ଗୋପିଆ ମଲ୍ଲିକ ହତ୍ୟାକାଣ୍ଡ, ଚୋରି, ଡକାୟତି, ବୋମାମାଡ଼, ଗୁଳିକାଣ୍ଡ, ହତ୍ୟା ଉଦ୍ୟମ, ଛିନ୍ତାଇ, ବନ୍ଧୁକ କାରବାର ପ୍ରଭୃତି ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି। ସେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ତା’ ବିରୋଧରେ ଦଫା ୧୧୦ ଲାଗୁ ହୋଇଛି। ପୂର୍ବରୁ ଜର୍ଜ ମଲ୍ଲିକ, ଜଗନ୍ନାଥ ପଲେଇ ପ୍ରଭୃତିଙ୍କ ସହ ମିଶି ବଡ଼ବଡ଼ ଅପରାଧରେ ସାମିଲ ହୋଇ ସେ ଜେଲ୍ ଯାଇଥିବା ପ୍ରମାଣ ରହିଛି। ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବଟି ପାଇଁ ଓ ସିଆର୍ପି ଛକରେ ଜଣେ ଅଟୋ ମୋବାଇଲ ବ୍ୟବସାୟୀଙ୍କୁ ବଟି ମାଗି ଗୋଟିଏ ଦିନରେ ସିରିଜ୍ ବୋମାମାଡ଼ର ସେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ଏପରିକି ଧରା ପଡ଼ି ଫେରାର୍ ହୋଇଯାଉଥିବା ବେଳେ କମିସନରେଟ୍ ପୁଲିସ ତାକୁ ଏନ୍କାଉଣ୍ଟର୍ କରିଥିଲା। ମକରା ଜଣେ ସାମ୍ବାଦିକ କାର୍ ଚାଳକ ଭାବରେ କାମ କରୁଥିବା ପୁଲିସ ଆଗରେ ସ୍ବୀକାର କରିଛି।
ମକରା ଗିରଫ ହେବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ କମିସନରେଟ୍ ପୁଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ୨୦୦୮ ମସିହାରୁ ୨୮ଟି ମାମଲାରେ ସେ ପାଖାପାଖି ୧୦ ଥର ବନ୍ଧା ହୋଇ ଜେଲ୍ ଯାଇଥିବା ଜଣାପଡ଼ିଛି। ଗାଡ଼ି ମାଲିକ ଜଣେ ସାମ୍ବାଦିକ। ତେବେ କିଭଳି ସାମ୍ବାଦିକ ତାକୁ ଚିହ୍ନି ପାରିଲେ ନାହିଁ, ନିଜ ଗାଡ଼ି ଚଳାଇବା ପାଇଁ ସୁଯୋଗ ଦେଲେ, ସେ ନେଇ ପ୍ରଶ୍ନ ଉଠିଛି। ସାମ୍ବାଦିକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ମାତ୍ର ଏକ ମାସ ହେବ ମକରା ତାଙ୍କ କାର୍ ଚଳାଉଥିବା ସେ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ସୂଚନା ମୁତାବକ, ଗତକାଲି ପୂର୍ବାହ୍ନ ୧୧ଟା ବେଳେ ଖଣି ନିଗମ ଅଫିସ୍ ସାମ୍ନାରେ ଅଟୋରେ ବସି ଷ୍ଟେସନ୍ ଯାଉଥିବା ଜଣେ ମହିଳାଙ୍କଠାରୁ ଭ୍ୟାନିଟି ଝାମ୍ପି ନେଇ ବାଇକ୍ରେ ପଳାଉଥିବା ବେଳେ ମକରା ଦୁର୍ଘଟଣାର ଶିକାର ହୋଇଥିଲା। ପାଖରେ କିଛି ଲୋକ ସେମାନଙ୍କୁ ଉଠାଇଥିଲେ। ତେବେ ମକରା ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବାରୁ ଲୋକେ ତାକୁ ମାଡ଼ି ବସି ପୁଲିସକୁ ଖବର ଦେଇଥିଲେ ବୋଲି ଖାରବେଳ ନଗର ଥାନା ଇନ୍ସ୍ପେକ୍ଟର ବିଶ୍ବରଞ୍ଜନ ସେନାପତି କହିଛନ୍ତି।