ମା’-ଶିଶୁ ପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ ଜାରି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମ ହରିଜନ ସାହିରେ ମା’-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ହରିଜନ ସାହିରେ ଏକ ଘରର ଉପର ମହାଲା‌ରେ ଥିବା ଏକ କୋଠରୀରୁ  ମା’ ଓ ୨ ବର୍ଷର ଶିଶୁପୁତ୍ର ମୃତ ଅବସ୍ଥାରେ ଚଟାଣରେ ପଡିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ବାଲୁଗାଁ ଥାନାରେ ହତ୍ୟା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ସାଇଣ୍ଟଫିକ ଟିମ ସହାୟତାରେ ବାଲୁଗାଁ ଏସ୍‌ଡିପିଓ ଓ ବାଲୁଗାଁ ଥାନାଆଇଆଇସି ମିଳିତ ଭାବେ ତଦନ୍ତକୁ ଜୋରଦାର କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ହତ୍ୟା ମାମଲାରୁଜୁ କରି ୨ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଘଟଣାରୁ ପ୍ରକାଶ ଆଙ୍କୁଲାଚଟି ଗ୍ରାମ ହରିଜନ ସାହିର ଭାଗିରଥି ନାୟକଙ୍କ ପୁଅ ବିଭୁ ନାୟକ ନିକଟସ୍ଥ ନୂଆଗଡ଼ ଗ୍ରାମର ଧ୍ରୁବ ନାୟକଙ୍କ ଝିଅ ସସ୍ମିତାଙ୍କୁୁ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କ ଔରସରୁ ଏକ ୨ବର୍ଷର ଶିଶୁପୁତ୍ର ଜନ୍ମ ନେଇଥିଲା। ଗତ କିଛି ମାସ ତଳେ ବିଭୁ ସୁଦୂର ଦୁବାଇ ରୋଜଗାର କରିବା ପାଇଁ ଯାଇଥିବା ବେଳେ ସସ୍ମିତା ନିଜ ପୁଅ ସହ ଶାଶୁ, ଶ୍ବଶୁର, ନଣନ୍ଦ ଓ ଦିଅରଙ୍କ ରହୁଥିଲେ। ସ୍ବାମୀ ବିଭୁ ଦୁବାଇ ଯିବା ପରେ ପୁତୁରା ସହିତ ଏକ ପ୍ରକାର ସମ୍ପର୍କ ଗଢି ଉଠିଥିଲା। ପରସ୍ପର ସର୍ଵଦା ମୋବାଇଲରେ କଥାବାର୍ତ୍ତା କରୁଥିଲେ ବୋଲି ଶ୍ବଶୁର କହୁଥିବା ବେଳେ ଏ କଥାକୁ ନେଇ ସ୍ୱାମୀ ଜାଣିବାପରେ ସସ୍ମିତାକୁ ଗାଳି କରିଥିଲେ।

ଗତ ମଙ୍ଗଳବାର ସନ୍ଧ୍ୟାରେ ସସ୍ମିତା ଓ ପୁଅ ବହୁ ସମୟ ପର୍ଯ୍ୟନ୍ତ ତଳକୁ ନ ଆସିବାରୁ ଶ୍ବଶୁର ଭାଗିରଥି ଉପର ମହଲାକୁ ଯାଇଥିଲେ। ସେଠାରେ ସେ ଦେଖିଲେ ଯେ, ସସ୍ମିତା ଓ ଶିଶୁପୁତ୍ରର ମୃତଦେହ ଫ୍ୟାନରେ ଦଉଡି ଲଗାଇ ଝୁଲୁଛି। ଭାଗିରଥି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ବୁଧବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ସସ୍ମିତାର ବାପା ଘରକୁ ଖବର ଦେଇଥିଲେ । ସସ୍ମିତାର ମା’ ସଜନୀ ନାୟକ ମୋ ଝିଅ ଓ ନାତିକୁ ଶାଶୁ, ଶ୍ବଶୁର, ନଣନ୍ଦ ଓ ଦିଅର ମିଶି ମାରିଦେଇଥିବା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି  ଏକ ହତ୍ୟା ମାମଲା ରୁଜୁକରି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ସାଇଣ୍ଟଫିକ ଟିମ ଓ ବାଲୁଗାଁ ଏସ୍‌ଡିପିଓ ମାନସରଞ୍ଜନ ବାରିକ, ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ ଘଟଣାର ତଦନ୍ତ ଆରମ୍ଭ କରି ଶାଶୁ ଓ ଶଶୁରଙ୍କୁ ଅଟକ ରଖିଥିବା ଜଣାପଡିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର