ଭୁଲ ନମ୍ବରରେ କଲ କରିବା ମହଙ୍ଗା ପଡ଼ିଲା; ଯୁବକଙ୍କୁ ପିଟିପିଟି ମାରିଦେଲେ ମା’ ଓ ଝିଅ

କୋଏମ୍ବାଟୁର: ତାମିଲନାଡୁ ଅନ୍ତର୍ଗତ କରମାଡିର ପେରିୟାରରେ ଗତ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ରଙ୍ଗ ନମ୍ବର ଡାଏଲ୍‌ କରିବା ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ପିଟି ପିଟି ମା’ ଓ ଝିଅ ମାରି ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୩୨ ବର୍ଷୀୟା ଧନଲକ୍ଷ୍ମୀ ତାଙ୍କ ମା’ ମଲିକାଙ୍କ ସହ ପେରିୟାର ନଗରରେ ବସବାସ କରନ୍ତି। ଗତ ସପ୍ତାହରେ ଧନଲକ୍ଷ୍ମୀଙ୍କୁ ଏକ ନମ୍ବରରେ କଲ୍‌ ଆସିଥିଲା। ଏହି କଲ୍‌ ଏନ ପେରିଆସାମି ନାମକ ଜଣେ ବ୍ୟକ୍ତି କରିଥିଲେ। ପ୍ରଥମେ ଧନଲକ୍ଷ୍ମୀ ଫୋନ୍ ଉଠାଇଥି‌ଲେ। ଉକ୍ତ ବ୍ୟକ୍ତିଙ୍କ କଥାବାର୍ତ୍ତା ଠିକ ନଲାଗିବାରୁ ସେ ରଙ୍ଗ ନମ୍ବର କହି ଫୋନ ରଖିଦେଇଥିଲେ। କିନ୍ତୁ ୪୫ ବର୍ଷୀୟ ପେରିଆସାମି ବାରମ୍ବାର କଲ୍ କରିବା ସହ ଅଶ୍ଳୀଳ ଭାଷା କହିଥିଲା। ଏନେଇ ଧନଲକ୍ଷ୍ମୀ ତାଙ୍କ ମା’ଙ୍କୁ ଜଣାଇଥିଲେ।


ଏହାପରେ ଯୋଜନାବଦ୍ଧ ଭାବେ ଲୋକଟିକୁ ଚିହ୍ନିବା ପାଇଁ ଧନଲକ୍ଷ୍ମୀ ଓ ତାଙ୍କ ମା’ ଘରକୁ ନିମନ୍ତ୍ରଣ କରିଥିଲେ। ମଙ୍ଗଳବାର ଅପରାହ୍ନରେ ବ୍ୟକ୍ତି ଜଣକ ତାଙ୍କ ଘରକୁ ଆସିଥିଲେ। କିଛି ସମୟ କଥା ହେବା ପରେ କଲ କରିବା ସହ ଅ୍ରଶ୍ଳୀଳ ଭାଷାରେ କଥାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ମା-ଝିଅ ରାଗି ଯାଇ ଲୋକଟିକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଲୋକଟିର ମୁହଁ, ଓଠ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା। ଶେଷରେ ଯୁବକ ଜଣକ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧନଲକ୍ଷ୍ମୀ ଓ ମା’ ମଲିକାଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର