ନିଜକୁ ଜାହାଜ ମାଲିକ କହି ବ୍ୟବସାୟୀଙ୍କଠାରୁ ୧.୩ କୋଟି ଟଙ୍କା ଠକି ନେଲେ ମାଆ-ଝିଅ

ମୁମ୍ବାଇ: ମହାରାଷ୍ଟ୍ରରେ ଏକ ଚକିତ କରିବା ପରି ଠକେଇ ମାମଲା ସାମ୍ନାକୁ ଆସିଛି। ଅନ୍ଧେରୀର ଜଣେ ମହିଳା ଓ ତାଙ୍କ ଝିଅ ମିଶି ନିଜକୁ ଏକ ଜାହାଜର ମାଲିକ ପରିଚୟ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୧.୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ବୟଙ୍କୁ ବର୍ତ୍ତମାନ ମୁମ୍ବାଇ ପୁଲିସ ଗିରଫ କରିଛି। ଏହି ମାଆ-ଝିଅ ୨୦୨୦ ମସିହା କୋଭିଡ୍‌-୧୯ ସମୟରେ ଏକ ଚୁକ୍ତି କରି ବ୍ୟବସାୟୀ ସୁଶାନ୍ତଙ୍କୁ ଟଗ୍‌ବୋଟ୍‌ ଓ ବ୍ୟାରେଜ୍‌‌ ଭେସେଲ୍ ବିକ୍ରି କରିବା ନାମରେ ଟଙ୍କା ନେଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଚୁକ୍ତି ମୁତାବକ କାମ ନ ହେବାରୁ ସୁଶାନ୍ତ ମାଆ-ଝିଅଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଆଣିଲେ ଓ ସେ ଦୁହିଁଙ୍କ କଳା କାରନାମା ଉପରୁ ଧୀରେ ଧୀରେ ପରଦା ଉଠିବା‌ରେ ଲାଗିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଦ୍ବୟ ହେଲେ ୫୨ ବର୍ଷୀୟା ମହିଳା ରାଗିଣୀ ଖଣ୍ଡେଲୱାଲ୍‌ ଓ ତାଙ୍କ ୨୨ ବର୍ଷୀୟା ଝିଅ ମାନ୍‌ସୀ। ଏହି ମାଆ-ଝିଅଙ୍କ ବିରୋଧରେ ସୁଶାନ୍ତ ନିକଟରେ ଅନ୍ଧେରୀ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆ‌ଣିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ କେବଳ ତାଙ୍କୁ ନୁହେଁ ଏହି ମାଆ-ଝିଅ ଜଣେ ରାଜନେତାଙ୍କ ସମେତ ଅନେକ ଲୋକଙ୍କୁ ଠକିଛନ୍ତି।

ମାଆ-ଝିଅ ଦୁହେଁ ଏକ ଜାହାଜ ଲୋକମାନଙ୍କୁ ଦେଖାଇ ତାହାକୁ  ବିକ୍ରି କରିବା ନାଁରେ ଠକିଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ସୁଶାନ୍ତଙ୍କ ପତ୍ନୀ ପଦ୍ମା ପୁଲିସ୍‌ରେ ନିଜର ବୟାନ ଦେଇ କହିଛନ୍ତି କି ଏହି ମାଆ-ଝିଅ ସେହି ସମାନ ହଲ୍‌କୁ ଦେଖାଇ ଅନେକ ଲୋକଙ୍କୁୁ ଠକିଛନ୍ତି। ସେମାନେ ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ୧୪ କୋଟି ଟଙ୍କା ଠକିଥିବା ପଦ୍ମା ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର