ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାର ମସାନିସ୍ଥିତ ଶ୍ମଶାନ ଘାଟରେ ମା’ର ମୃତଦେହ ରଖି ପିଲାମାନେ ଜମି ଭାଗବଣ୍ଟା କରୁଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ଯେପର୍ଯ୍ୟନ୍ତ ଜମି ଭାଗବଣ୍ଟା ହୋଇ ନଥିଲା ମୃତ ମା’ ସେମିତି ଶ୍ମଶାନରେ ୮ରୁ୯ ଘଣ୍ଟା ପଡ଼ି ରହିଥିଲେ। କେହି ବି ତାଙ୍କୁ ମୁଖାଗ୍ନୀ ଦେଇ ନଥିଲେ।

Advertisment

ସୂଚନାଯୋଗ୍ୟ, ୮୫ବର୍ଷୀୟ ବୃଦ୍ଧା ପୁଷ୍ପ‌ାଙ୍କ ମୃତ୍ୟୁ ପରେ ତାଙ୍କ ତିନିଜଣ ଝିଅଙ୍କ ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ କଳହ ଲାଗିଥିଲା। ଯେଉଁ କାରଣରୁ ପୁଷ୍ପାଙ୍କ ଅନ୍ତିମ ସଂସ୍କାର ହୋଇପାରି ନଥିଲା। ଏମିତି କି ଅନ୍ତିମ ସଂସ୍କାର ପାଇଁ ଆସିଥିବା ବ୍ରାହ୍ମଣ ମଧ୍ୟ ଫେରି ଯାଇଥିଲେ।

ଘଣ୍ଟାଘଣ୍ଟା ଧରି ଶ୍ମଶାନରେ ତିନିଝିଅ ମିଥିଲେଶ, ସୁନୀତା ଓ ଶଶିଙ୍କ ହାଏଭୋଲଟେଜ ଡ୍ରାମା ଦେଖି ମୃତକଙ୍କ ପରିବାରଲୋକ ନିନ୍ଦା କରିବା ସହିତ ବିଚଳିତ ହୋଇପଡ଼ିଥି‌ଲେ। ଶେଷରେ ଷ୍ଟାମ୍ପ ସହିତ ଝିଅମାନଙ୍କ ମଧ୍ୟରେ ଜମି ଭାଗବଣ୍ଟା ହୋଇଯିବା ପରେ ପୁଷ୍ପାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ଅଭିଯୋଗ ହୋଇଥିଲାକି ପୁଷ୍ପାଙ୍କ ବଡ଼ ଝିଅ ମିଥିଲେଶ କିଛିଦିନ ହେବ ବାପ ଘରେ ଆସି ରହୁଥିଲେ। ସେ ମା’କୁ ଫୁସୁଲାଇ କାହାକୁ କିଛି ନକହି ଦେଢ଼ ଏକର ଜମି ବିକ୍ରି କରି ଦେଇଥିଲେ। ପୁ‌ଷ୍ପାଙ୍କ ମୃତ୍ୟୁ ପରେ ସମସ୍ତ ରୀତିନୀତିରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନିଆଯାଇଥିଲା। ଏହି ସମୟରେ ପୁଷ୍ପାଙ୍କ ଅନ୍ୟ ଦୁଇଝିଅ ସୁନୀତା ଓ ଶଶି ଭଉଶୀ ମିଥିଲେଶଙ୍କ ଏହି ଚଲାଖି ସମ୍ପର୍କ‌ରେ ଖବର ପାଇ ଶ୍ମଶାନକୁ ଯାଇ ଅନ୍ତିମ ସଂସ୍କାର ଅଟାକାଇ ସଠିକ ଭାବେ ଜମି ଭାଗବଣ୍ଟା ପାଇଁ ଅଡି ବସିଥିଲେ।

ଶେଷର କିଛି ବରିଷ୍ଠଲୋକ ଓ ଅମିନଙ୍କ ହସ୍ତପେକ୍ଷ ପରେ ସୂଚାରୁରୂପେ ଜମି ଭାଗବଣ୍ଟା ହୋଇଥିଲା। ଏହାପରେ ପୁଷ୍ପାଙ୍କ ଅନ୍ତିମ ସଂସ୍କ‌ାର କରାଯାଇଥିଲା।