ଏଟା: ୟୁପିର ଏଟା ଜିଲ୍ଲାରେ ଏକ ହୃଦୟଥରା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ନାବାଳିକା ଝିଅର ହତ୍ୟା ପାଇଁ ସୁପାରୀ ଦେଇଥିଲେ । ହେଲେ ତାଙ୍କୁ ଜଣାନଥିଲା ତାଙ୍କର ଏହି ଯୋଜନା ତାଙ୍କ ଉପରେ ହିଁ ଭାରୀ ପଡ଼ିବ। କୁହାଯାଉଛି ଯେ, ମା’ ପଠାଇଥିବା ହତ୍ୟାକାରୀକୁ ବିବାହର ଲୋଭ ଦେଖାଇ ଝିଅ, ନିଜ ମା’କୁ ହତ୍ୟା କରିଥିଲା। ହତ୍ୟା ପରେ ଧାନ ବିଲରେ ମୃତଦେହ ଫିଙ୍ଗିଥିବା ବେଳେ ସପ୍ତାହେ ପରେ ଏହି ଘଟଣା ସାମ୍ନାକୁ ଆସିଛି।

Advertisment

ଏହି ଘଟଣାର ଖୁଲାସା କରି ମହିଳାଙ୍କୁ ହତ୍ୟା କରିଥିବା ହତ୍ୟାକରୀକୁ ପୁଲିସ ଗିରଫ କରିଛି। ଗତ ରବିବାର ଦିନ ୪୨ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଧାନ କ୍ଷେତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ହତ୍ୟାକାଣ୍ଡର ଦ୍ୱିତୀୟ ଦିନରେ ମହିଳା ଜଣକ ରମାକାନ୍ତଙ୍କ ପତ୍ନୀ ଅଳକା ବୋଲି ଜଣାପଡିଥିଲା।

ପୁଲିସ କହିଛି ଯେ ମହିଳାଜଣକ ଏକ ମାମଲା ରୁଜୁ କରିବାକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବା ସହ ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ପରଦିନ ତାଙ୍କ ସ୍ୱାମୀ ରମାକାନ୍ତ କ୍ଷେତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ସୂଚନା ପାଇଥିଲେ। ସୂଚନା ପାଇ ସେଠାକୁ ଯିବା ପରେ ମୃତଦେହଟି ତାଙ୍କ ପତ୍ନୀଙ୍କର ବୋଲି ଜାଣିବାକୁ ପାଇଥିଲେ। ଏହି ଘଟଣା ପରେ ରମାକାନ୍ତ ଜସରଥପୁର ପୁଲିସ ଷ୍ଟେସନରେ ନିଜ ଗାଁର ଦୁଇଜଣ ନାମୀ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିଥିଲେ। ହେଲେ ପରେ ପ୍ରକୃତ ଦୋଷୀ ସାମ୍ନାକୁ ଆସିଥିଲା।

ସୂଚନା ମୁତାବକ, ଅଳକା ନିଜ ବାପଘର ଗାଁର ସୁଭାଷଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଝିଅର ବିଭିନ୍ନ ପ୍ରେମ ପ୍ରସଙ୍ଗକୁ ନେଇ ବିରକ୍ତି ଥିବା ଅଳକା, ସୁଭାଷଙ୍କୁ ଝିଅର ସୁପାରୀ ଦେଇଥିଲେ। ସୁଭାଷ ପୂର୍ବରୁ ଦୁଷ୍କର୍ମ ମାମଲାରେ ୩୮ବର୍ଷ ଜେଲରେ ରହି କିଛି ମାସ ହେବ ବାହାରକୁ ଆସିଥିଲା ବୋଲି ଜଣାଯାଇଛି। ତେବେ ସୁଭାଷ ସୁପାରୀ ନେଇ ଅଳକାଙ୍କ ଝିଅକୁ ହତ୍ୟା କରିବାକୁ ଯାଇଥିବା ବେଳେ ଅଳକାଙ୍କ ଯୋଜନା ବିଷୟରେ କହିଦେଇଥିଲେ। ଏହା ଶୁଣି ଅଳକାଙ୍କ ଝିଅ ସୁଭାଷକୁ କହିଥିଲେ, ତୁମେ ମୋ ମା’କୁ ହତ୍ୟା କଲେ ମୁଁ ତୁମକୁ ବିବାହ କରିବି। ଏଥିରେ ରାଜି ହୋଇ ସୁଭାଷ, ଅଳକାଙ୍କୁ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦେଇଥିଲେ। ଏବେ ସୁଭାଷକୁ ଗିରଫ କରିଥିବା ବେଳେ ନାବାଳିକା ଝିଅକୁ ହେପାଜତକୁ ନେଇଛି ପୁଲିସ।