ଶାଶୂଙ୍କୁ ବନ୍ଦୀ କରି ରଖିଥିଲେ ବୋହୂ; ପୁଅର ଅଭିଯୋଗ ପରେ ଉଦ୍ଧାର କଲା ଡିସିଡବ୍ଲୁ

ନୂଆଦିଲ୍ଲୀ: ନିଜ ବୋହୂ ପାଖରେ ବନ୍ଦୀ ହୋଇ ରହିଥିବା ଦିଲ୍ଲୀର ଜଣେ ୯୫ ବର୍ଷୀୟା ମହିଳାଙ୍କୁ ଦିଲ୍ଲୀ କମିସନ୍‌ ଫର୍‌ ଓମେନ୍‌(ଡିସିଡବ୍ଲୁ) ଉଦ୍ଧାର କରିଛି। ଏହି ମହିଳା ପ୍ୟାନେଲ୍‌ଙ୍କୁ ଏକ କଲ୍‌ ଯାଇଥିଲା। ଜଣେ ବ୍ୟକ୍ତି ଫୋନ୍‌ କଲ୍‌ ଯୋଗେ ଉକ୍ତ ବୃଦ୍ଧାଙ୍କ ସଂପର୍କରେ ସୂଚୀତ କରିବା ପରେ ଡିସିଡବ୍ଲୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ବ୍ୟକ୍ତି ଜଣକ ହେଉଛନ୍ତି ବନ୍ଦୀ ହୋଇ ରହିଥିବା ମହିଳାଙ୍କ ଜନ୍ମକଲା ପୁଅ। ସେ ଜଣାଇଥିଲେ ଯେ ତାଙ୍କ ପତ୍ନୀ ଏବଂ ଶଶୁରଘର ଲୋକ ମିଶି ତାଙ୍କୁ ଅତ୍ୟାଚାର କରୁଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ମାଆଙ୍କୁ ତାଙ୍କ ପତ୍ନୀ ଏକ ଘରେ ବନ୍ଦୀ କରି ରଖିଥିବା କଥା ବି ସେ ଅଭିଯୋଗ କରିଥିଲେ।

ବ୍ୟକ୍ତି ଜଣକ ଆହୁରି ବି କହିଛନ୍ତି କି ବିବାହ ପରେ ପରେ ହିଁ ତାଙ୍କ ପତ୍ନୀଙ୍କ ସହ ତାଙ୍କର ବୈବାହିକ ବିଦାଦ ଲାଗି ରହିଥିଲା। ସେ ଗତ ତିନି ମାସ ହେବ ତାଙ୍କ ମାଆଙ୍କୁ ଦେଖିବାକୁ ନପାଇବାରୁ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ବାଧ୍ୟ ହୋଇଥିଲେ।

ସେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ମାଆଙ୍କ ସହ ଦେଖା କରିବାକୁ ଚାହାନ୍ତି। ଏ ନେଇ ସେ ଆଞ୍ଚଳିକ ପୁଲିସ୍‌ରେ ବି ଅଭିଯୋଗ ଆଣିଥିଲେ। ମାତ୍ର କୌଣସି ବି ପୁଲିସ୍‌କର୍ମୀଙ୍କୁ ତାଙ୍କ ପତ୍ନୀ ଘର ଭିତରକୁ ଛାଡ଼ି ଦେଉନଥିଲେ। ଫଳରେ ସେ ଡିସିଡବ୍ଲୁକୁ ଜଣାଇଥିଲେ। ଏହି ଘଟଣାର ଏବେ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର