ଡାକ୍ତରଖାନାରେ ନବଜାତ ଝିଅର ଶ୍ୱାସରୁଦ୍ଧ କରି ମାରିଲା ମାଆ

ନୂଆଦିଲ୍ଲୀ: ରବିବାର ଦିନ ପଶ୍ଚିମ ଦିଲ୍ଲୀର ଏକ ଡାକ୍ତରଖାନାରେ ଜଣେ ୩୨ ବର୍ଷୀୟ ମହିଳା ତାଙ୍କର ନବଜାତ ଝିଅର ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। ତଦନ୍ତକାରୀମାନେ କହିଛନ୍ତି କି, ତୃତୀୟ କନ୍ୟା ଆବଶ୍ୟକ ନାହିଁ ବୋଲି ସେ ମହିଳାଜଣକ କୁଆଡ଼େ ସେମାନଙ୍କୁ କହିଛନ୍ତି।

ରୀତା ଦେବୀ ନାମ୍ନୀ ସେ ମହିଳାଜଣକ କହିଛନ୍ତି ଯେ ଝିଅକୁ ମାରିବା ବେଳେ ସେ ହିତାହିତ ଜ୍ଞାନ ହରାଇ ବସିଥିଲେ।

ଡେପୁଟି କମିସନର ବିଜୟ କୁମାର କହନ୍ତି: ମହିଳାଙ୍କ ସ୍ୱାମୀ ଆଉ ଗୋଟିଏ ଝିଅ ଚାହୁଁ ନ ଥିଲେ। ପ୍ରସବ ପୂର୍ବରୁ ରୀତା ଦେବୀ ଜଣେ ହେଲ୍‌ପର୍‌ଙ୍କୁ କହିଥିଲେ କି, ଅନ୍ୟ ଦୁଇ ଝିଅ ଜନ୍ମ ଦେଇଥିବାରୁ ସ୍ୱାମୀ ତାଙ୍କୁ ସର୍ବଦା ମାରଧର କରନ୍ତି। ସେଇଥି ପାଇଁ ସେ ଆଉ ଗୋଟାଏ ଝିଅ ଚାହୁଁ ନ ଥିଲେ।

ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଛି ବୋଲି ବ୍ୟବଚ୍ଛେଦ ରିପୋର୍ଟ ମିଳବା ପରେ ମୋତିବାଗ ଥାନାରେ ପୁଲିସ ମାମଲା ରୁଜୁ କରି ମଙ୍ଗଳବାର ଦିନ ରୀତା ଦେବୀଙ୍କୁ ଗିରଫ କରିଛି।

ଏଥିରେ ରୀତା ଦେବୀଙ୍କ ସ୍ୱାମୀ ଅସ୍‌ରଫି ମହତୋ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ଥିବାର କୌଣସ ପ୍ରମାଣ ନାହିଁ ବୋଲି ତଦନ୍ତକାରୀମାନେ କହିଛନ୍ତି। କନ୍ନଟ୍‌ ପ୍ଲେସ୍‌ରେ ଏକ ଘରୋଇ ଫାର୍ମରେ ହେଲ୍‌ପର୍‌ କାମ କରୁଥିବା ମହତୋ ମଧ୍ୟ ପୁଅଟିଏ ଚାହୁଁଥିବା କଥା ଅସ୍ୱୀକାର କରିଛନ୍ତି।  ସେ କହନ୍ତି: ମୋ ଭଳି ଜଣେ ଗରିବ ଲୋକ ପାଇଁ, ପୁଅ ବା ଝିଅ କ୍ଷେତ୍ରରେ କିଛି ଯା’ଆସ ନାହିଁ।

ଏହା ‘ପୋଷ୍ଟ୍‍ପାଟମ୍‌ ଡିପ୍ରେସନ୍‌’ ନାମକ ଏକ ମାନସିକ କାରଣ ହୋଇ ପାରେ ବୋଲି ମାନସିକ ରୋଗ ବିଶେଷଜ୍ଞ କହୁଛନ୍ତି।

ବିହାରର ଛାପ୍ରା ଜିଲ୍ଲାରୁ ନିଜର ତିନି ପିଲାଙ୍କୁ ଧରି ରହନ୍ତି ମହତୋଙ୍କ ପରିବାର। ନଅ ଓ ଆଠ ବର୍ଷର ଦୁଇଟି ଝିଅ ଓ ଚାରି ବର୍ଷର ଗୋଟିଏ ପୁଅ ଅଛନ୍ତି ସେମାନଙ୍କର।

ଗର୍ଭଧାରଣ କରିବାର ୯ ମାସରେ ରୀତା ଦେବୀ ଶନିବାର ଅପରାହ୍ଣରେ ଗର୍ଭ ବେଦନା ଯୋଗୁଁ ମୋତି ନଗର ଠାରେ ଥିବା ଇଏସ୍‌ଆଇସି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମହତୋ କିଛି ସମୟ ଡାକ୍ତରଖାନାରେ ରହି ଜଣେ ଚିହ୍ନାପରିଚିତ ମହିଳାଙ୍କ ଜିମାରେ ପତ୍ନୀଙ୍କୁ ଡାକ୍ତରଖାନାରେ ଛାଡ଼ି ପିଲାମାନଙ୍କୁ ଦେଖାରଖା କରିବାକୁ କିଛି ସମୟ ପାଇଁ ଘରକୁ ଫେରି ଆସିଥିଲେ।

ରବିବାର ଭୋର୍‌ ୩. ୫୦ରେ ରୀତା ଦେବୀ ଝିଅଟିଏ ଜନ୍ମ କରିଥିଲେ। ସକାଳ ୭ଟା ଯାଏଁ ଝିଅଟି ସୁସ୍ଥ ଥିବା କଥା ଡାକ୍ତରମାନେ କହୁଛନ୍ତି।

ଝିଅଟି ହଲ୍‌ଚଲ୍‌ ହେଉନାହିଁ ବୋଲି ସକାଳ ୯ଟା ବେଳେ ରୀତା ଦେବୀ ପାଟି କଲେ। ଡାକ୍ତରମାନେ ଆସି ଦେଖିଲେ ଶିଶୁକନ୍ୟାଟି ମରି ଯାଇଛି। ମୃତ ଝିଅର ନାକ ଚାରିପଟେ କଳା ଦାଗ ଥିଲା। ପାଟି ପାଖରେ ମଧ୍ୟ ସେମିତିକା ଦାଗ ଥିଲା। ହତ୍ୟା ସନ୍ଦେହ କରି ଡାକ୍ତର ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର