ତାମିଲନାଡୁ: ତାମିଲନାଡୁର ସାଲେମ ନାମକ ସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ପୁଅକୁ ହତ୍ୟା କରିଥିବା ମାଆକୁ ଗିରଫ କରିଛି ତାମିଲନାଡୁ ପୁଲିସ୍।

Advertisment

ପୁଲିସର କହିବା ଅନୁସାରେ ଉମାଦେବୀ ନାମକ ମହିଳାଙ୍କ ୧୯ ବର୍ଷର ପୁଅ ନବୀନ ଲିଙ୍ଗ ପରିବର୍ତ୍ତନ କରିବାରୁ ସେ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ପୁଲିସ୍ ଗିରଫ କରିଥିବା ଅନ୍ୟ ୫ ଜଣ ଅଭିଯୁକ୍ତଙ୍କର ନାମ ହେଉଛି ଭେଙ୍କଦେଶ୍,କାମରାଜ୍,କାର୍ତ୍ତିକେୟନ୍,ସନ୍ତୋଷ ଓ ଶିବକୁମାର।

ଉମାଦେବୀ ସ୍ଵାମୀଙ୍କଠାରୁ ଅଲଗା ହୋଇ ଆମ୍ମାପାଲାୟମ୍ ନାମକ ସ୍ଥାନରେ ଏକାକି ରହୁଥିଲେ।  ଉମାଦେବୀଙ୍କ ପୁଅ  ନବୀନ କୁମାର ନିଜ ଦେହରେ ମହିଳାଙ୍କ ସ୍ଵଭାବ ଥିବା ଜାଣି ପାରିଥିଲେ ଓ ସେ ତାଙ୍କ ନାମକୁ ଅକ୍ଷିତା ନାମରେ ପରିବର୍ତ୍ତନ କରି ବେଙ୍ଗାଲୁରୁରେ କିନ୍ନରମାନଙ୍କ ସହିତ ରହୁଥିଲେ ।ନବୀନ କୁମାର ଏକାକି ରହୁଥିବା ତାଙ୍କ ମାଆଙ୍କ ଘରକୁ ଯିବାଆସିବା କରୁଥିଲେ । ଅଳ୍ପଦିନ ପୂର୍ବରୁ ନବୀନଙ୍କ ମାଆ ନବୀନଙ୍କୁ ଲିଙ୍ଗ ପରିବର୍ତ୍ତନ ନ କରିବାକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ନବୀନଙ୍କୁ ବୁଝାଇବାରେ ବିଫଳ ହେବାରୁ ତାଙ୍କ ମାଆ ଉମାଦେବୀ ଅନ୍ୟ ୫ ଜଣଙ୍କ ସହ ନବୀନଙ୍କୁ ଆକ୍ରମଣ କରିଥିଲେ । ଗତ ସପ୍ତାହରେ ନବୀନଙ୍କୁ ଗୁରୁତର ଅବସ୍ଥାରେ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ୍ କହିଛି ଉମାଦେବୀ ନବୀନଙ୍କୁ ହରମୋନ ସମ୍ବନ୍ଧୀୟ ଔଷଧ ନେଇ ପୁରୁଷ ଭାବରେ ରହିବାକୁ ବାଧ୍ୟ କରିଥିଲେ । ଯେତେବେଳେ ନବୀନ ମନା କରିଥିଲେ ଉମାଦେବୀ ତାଙ୍କ ସାଥୀମାନଙ୍କ ସହ ମିଶି ନବୀନଙ୍କୁ ଆକ୍ରମଣ କରିଥିଲେ ।