ମା’ ମନ ପସନ୍ଦର ତରକାରୀ ନକରିବାରୁ ଝଗଡ଼ା କଲା ପୁଅ, ରାଗରେ ଦୁହେଁ ନେଲେ ନିଜ ଜୀବନ

ନୂଆଦିଲ୍ଲୀ: ତରକାରୀ ପାଇଁ ଜୀବନ ହାରିଲେ ମା’-ପୁଅ। ଉତ୍ତରପ୍ରଦେଶର ଜାଲୌନରେ ଘଟିଛି ଏଭଳି ଘଟଣା। ଘରକୁ ଫେରି ମନ ପସନ୍ଦର ତରକାରୀ ରାନ୍ଧିବା ପାଇଁ ମା’ଙ୍କୁ କହିଥିଲା ପୁଅ। ହେଲେ ଏଭଳି ନକରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଉଭୟ ଜୀବନ ହାରିଥିଲେ ବୋଲି କହିଛି ପୁଲିସ।

ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଛି ଜାଲୌନର ଉରଇ କୋତୱାଲୀ ଅଞ୍ଚଳର ସୁଶୀଲ ନଗରର। ଏଠାରେ ୫୫ବର୍ଷିୟ ବେବି ଚୌହାନ ନିଜ ୨୮ବର୍ଷୀୟ ପୁଅ ଦିଗବିଜୟ ସିଂହଙ୍କ ସହ ରହନ୍ତି। ଶନିବାର ଦିନ ତାଙ୍କ ପୁଅ ଝାନ୍ସିରୁ ଘରକୁ ଫେରିଥିଲେ। ଘରକୁ ଆସିବା ପରେ ମନ ପସନ୍ଦର ତରକାରୀ କର ବୋଲି ବେବିଙ୍କୁ କହିଥିଲେ ଦିଗବିଜୟ। ହେଲେ ସକାଳେ ରନ୍ଧା ଯାଇଥିବା ତରକାରୀ ବଳି ଥିବାରୁ ସେ ପୁଅକୁ ଆଉ ଥରେ ତରକାରୀ କରିବାକୁ ମନା କରିଥିଲେ। ଏହା ସହ ପରଦିନ ସକାଳେ ତୁମ ପାଇଁ ତୁମ ପସନ୍ଦର ତରକାରୀ କରିବି ବୋଲି କହିଥିଲେ। ହେଲେ ଦିଗବିଜୟ ରାଜି ନହୋଇ ରାଗି ଯାଇଥିଲେ।  ଦୁହିଁଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହେବାରୁ ରାଗରେ ବେବି ବିଷ ପିଇ ଦେଇଥିଲେ। ମା’ ଏଭଳି କରିବାରୁ ଡରରେ ଦିଗବିଜୟ ଶୌଚାଳୟକୁ ଯାଇ ଫାଶୀ ଲଗାଇ ଦେଇଥିଲେ। ଏଭଳି ଭାବେ ଦୁହିଁଙ୍କ ମୃତ୍ୟୁ ହୋଇଥିବା କହିଛି ପୁଲିସ।

ଏବେ ମୃତଦେହର ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଆଗାମୀ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର