ନୂଆଦିଲ୍ଲୀ: ଗତବୁଧବାର ଦିନ ବିହାରର ମୋତିହାରୀରେ ସରସ୍ୱତୀ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ସିକରହନା ନଦୀ କୂଳରେ ମଦର ଡ୍ରମରେ ବୁଡ଼ି ଜଣେ ୩ ବର୍ଷର ବାଳକର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଶିଶୁ ଜଣକ ସୁଗୌଲି ଥାନା ଅଞ୍ଚଳର ସୁଜୟ କୁମାର ବୋଲି ଚିହ୍ନଟ ହୋଇଛି। ମୃତ ଶିଶୁର ବାପାମାଆ ଦକ୍ଷିଣ ମାନସିଂଘା ପଞ୍ଚାୟତର ଭେଡ଼ିଆରି ଗାଁର ପାଞ୍ଚ ନମ୍ବର ୱାର୍ଡରେ ବାସବାସ କରନ୍ତି।
ସୁଗୌଲି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଶିଶୁର ମୃତଦେହକୁ ମଦ ଡ୍ରମ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ମୋତିହାରୀ ପୁଲିସ ଇନ୍ସପେକ୍ଟର ସ୍ୱର୍ଣ୍ଣ ପ୍ରଭାତ ମୋତିହାରୀ ସଦର ଏସଡିପିଓ ଶିଖର ଚୌଧୁରୀଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨4 ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ତଦନ୍ତ ରିପୋର୍ଟ ଆସିବା ପରେ ମଦ ବ୍ୟବସାୟୀଙ୍କୁ ଚିହ୍ନଟ କରାଯିବ ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶିଶୁର ମୃତ୍ୟୁ ମାମଲା ରୁଜୁ କରାଯିବ।
ବିହାରରେ ମଦ ସମ୍ପୂର୍ଣ୍ଣ ନିଷେଧ ସତ୍ତ୍ୱେ, ଚୋରାଚାଲାଣକାରୀମାନେ ବେଆଇନ ଭାବରେ ଲୋକମାନଙ୍କୁ ମଦ ଯୋଗାଣ କରୁଛନ୍ତି। ଅନେକ ସମୟରେ, ବିଷାକ୍ତ ମଦ ପିଇବା ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଥିବା ବି ଖବର ଆସୁଛି। ତେବେ ସିକରହନା ନଦୀ କୂଳରେ କେହିଜଣେ ମଦ ଚୋରାଚାଲାଣକାରୀ ଏଭଳି ଭାବେ ଡ୍ରମ ଭିତରେ ମଦ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି।
ପୂର୍ବ ଚମ୍ପାରଣ ଜିଲ୍ଲାର ଭେଡ଼ିଆରି ଗାଁରେ ସିକରହନା ନଦୀ କୂଳରେ ଏକ ବଡ଼ ଡ୍ରମରେ ୨୦୦ ଲିଟର ମଦ ରଖାଯାଇଥିଲା। ସରସ୍ୱତୀ ପୂଜା ପରେ ଗାଁର ଲୋକମାନେ ମୂର୍ତ୍ତି ବିସର୍ଜନ କରିବାକୁ ଉକ୍ତ ନଦୀ କୂଳକୁ ଯାଇଥିଲେ।
ଏହି ସମୟରେ ଜଣେ ତିନି ବର୍ଷର ଶିଶୁ ମଦ ଭର୍ତ୍ତି ଥିବା ଡ୍ରମରେ ପଡ଼ି ଯାଇଥିଲା। ଡ୍ରମ ଭିତରୁ ଶିଶୁକୁ ଉଦ୍ଧାର କରାଯାଇଥିଲେ ହେଁ ସେତେବେଳକୁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ଉକ୍ତ ଡ୍ରମକୁ ନଦୀକୂଳରେ ନଡାରେ ଲୁଚା ଯାଇଥିବାରୁ ଡ୍ରମ ଥିବା କେହି ଜାଣି ପାରି ନଥିଲେ।