ମୁମ୍ବାଇ: ସିନେମା ଓ ଟେଲିଭିଜନ୍ ଅଭିନେତ୍ରୀମାନଙ୍କୁ ଓଜନଦାର ମୋଟର୍ସାଇକେଲ୍ ଚାଳନା ଶିକ୍ଷା ଦେଉଥିବା ଜଣେ ୨୮ ବର୍ଷୀୟ ତାଲିମଦାତ୍ରୀ ସୋମବାର ସନ୍ଧ୍ୟାରେ ତାଙ୍କ ଗୋରେଗାଓଁ (ଇ) ଆପାର୍ଟମେଣ୍ଟ୍ରେ ଫାଶୀ ଦେଇ ଜୀବନ ହାରିଛନ୍ତି।
ତାଙ୍କ ମୃତ୍ୟୁ ନିମନ୍ତେ କେହି ଉତ୍ତରଦାୟୀ ନୁହନ୍ତି ବୋଲି ଚେତନା ପଣ୍ଡିତ ନାମ୍ନୀ ସେ ଯୁବତୀ ଛାଡ଼ି ଯାଇଥିବା ଚିଟାଉରେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ କିଛି ମାସ ତଳେ ଗୋଟାଏ ସମ୍ପର୍କ ତୁଟି ଯିବାରୁ ସେ ଏକଲା ଥିଲେ। ସେ ତାଙ୍କ ଲକ୍ଷ୍ୟ ହାସଲ କରିବାକୁ ସମର୍ଥା ନ ଥିଲେ। ଚେତନାଙ୍କର ଆର୍ଥିକ ପରିସ୍ଥିତି ଭଲ ନ ଥିବା କଥା ତାଙ୍କ ସାଙ୍ଗମାନେ କହୁଛନ୍ତି।
ପିଲାକାଳୁ ପିତାମାତାଙ୍କୁ ହରାଇଥିବା ଚେତନା ଅନ୍ୟ ତିନି ଜଣଙ୍କ ସହ ଭାଗୀଦାରି ହିସାବରେ ଗୋଟାଏ ଫ୍ଲାଟ୍ରେ ରହୁଥିଲେ। କେନ୍ଦ୍ରୀୟ ମୁମ୍ବାଇରେ ଥିବା ମାଉସୀଙ୍କ ନିକଟରେ ତାଙ୍କ ସାନ ଭାଇ ରହୁଥିଲେ।
ଗତ ଦୁଇ ବର୍ଷ ହେବ ଚେତନା ଏକ ମୋଟରସାଇକେଲ୍ କମ୍ପାନି ସହ ସମ୍ପୃକ୍ତ ଥିଲେ ଏବଂ ନିଜ ଛାତ୍ରଛାତ୍ରୀଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ଏ ବର୍ଷ ଫେବ୍ରୁଆରି ମାସରେ ସେ ଚାକିରି ଛାଡ଼ି ଦେଇଥିଲେ।
ସାଙ୍ଗମାନେ କହନ୍ତି ସେ ଗୋଟାଏ ନୂଆ ଚାକିରି କରିଥିଲେ, କିନ୍ତୁ ଅଧିକାଂଶ ସମୟରେ ଡେସ୍କ୍ ନିକଟରେ ହିଁ ବସି ରହୁଥିଲେ। ବର୍ଷାଋତୁ ପରେ ପୁଣି ମୋଟର୍ସାଇକେଲ୍ ଚାଳନା ଦେବାକୁ ଚାହୁଁଥିଲେ।
ଦୁଇ ରୁମ୍ମେଟ୍ ସହର ବାହାରକୁ ଯାଇଥିବାରୁ ସୋମବାର ଦିନ ଚେତନା ଘରେ ଏକଲା ଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୨୦ ମିନିଟ୍ ସମୟରେ ତୃତୀୟ ରୁମ୍ମେଟ୍ ଜଣକ କାମରୁ ଫେରି ଦେଖିଲେ କବାଟ ଭିତର ପଟୁ ବନ୍ଦ ରହିଛି। ଥରକୁ ଥର ଡୋର୍ବେଲ୍ ବଜାଇ ଓ କବାଟ ବାଡ଼ାଇ କୌଣସି ଜବାବ ନ ପାଇବାରୁ ସେ ଜଣେ ସାଙ୍ଗଙ୍କୁ ଡକାଇବା ପରେ ସେମାନେ ଯାଇ ଜଣେ ତାଲାବାଲାକୁ ଡାକି ଆଣିଲେ। ଫ୍ଲାଟ୍ରେ ପ୍ରବେଶ କରି ଦେଖିଲେ ଚେତନା ଶୟନ କକ୍ଷର ସିଲିଂ ଫ୍ୟାନ୍ରେ ଝୁଲୁଛି। ନିକଟରେ ରହିଛି ଇଂରାଜି ଭାଷାରେ ଲିଖିତ ଆତ୍ମହତ୍ୟା ଚିଟାଉ। କୋଠରିରୁ ତାଙ୍କର ଲାପ୍ଟପ୍ ମଧ୍ୟ ମିଳିଛି। ରାତି ୮ଟା ୨୦ ମିନିଟ୍ରେ ପଡ଼ୋଶୀମାନଙ୍କ ମଧ୍ୟରୁ ଜଣେ ପୁଲିସକୁ ଡକାଇଥିଲେ।