ପୁନେ : ସ୍ଥାନୀୟ ଏକ ମାଦ୍ରାସାରୁ ପୁଲିସ ୩୬ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛି। ପୁନେରେ ଥିବା ଏହି ମାଦ୍ରସାରେ ଏହି ଛାତ୍ରମାନେ ମୌଲାନାଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେଉଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସହରର କତରାଜ୍ ଅଞ୍ଚଳରେ ଥିବା ଏହି ମଦ୍ରାସାରେ ମୌଲାନା କାର୍ଯ୍ୟ ତୁଲାଉ ଥିବା ୨୧ ବର୍ଷୀୟ ରହିମ୍ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଉଥିବା ଜଣାପଡ଼ିବା ପରେ ପୁଲିସ୍ ତାଙ୍କୁ ଗିରଫ୍ କରିଛି।
ଏହି ମାଦ୍ରାସାରେ ରହୁଥିବା ଜଣେ ୧୦ ବର୍ଷୀୟ ଛାତ୍ର ଯୌନ ନିର୍ଯାତନାର ଶିକାର ହେବା ପରେ ସେଠାରୁ ଲୁଚି ଘରକୁ ପଳାଇ ଆସିଥିଲେ।
ସେମାନେ ଅଭିଯୋଗ କରିଥିଲେ କି ମଦ୍ରସାରେ ପିଲାମାନଙ୍କୁ ନିୟମିତ ଯୌନ ନିର୍ଯାତନା ଦିଆଯାଉଛି। ଏହି ମାଦ୍ରାସାରେ ମୁଖ୍ୟତଃ ୫ରୁ ୧୪ ବର୍ଷ ବୟସର ପିଲାମାନେ ରହି ପଢ଼ୁଥିବାରୁ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିଲା।
ଘଟଣା ସଂପର୍କରେ ଅବଗତ ହେବା ପରେ ଶିଶୁ ଅଧିକାର କର୍ମୀ ଯାମିନୀ ଆନ୍ବେ ପୁଲିସରେ ଏଫ୍ଆଇଆର ଦେଇଥିଲେ। ଏହାପରେ ପୁଲିସ ମାଦ୍ରାସାକୁ ଯାଇ ସେଠାରେ ଥିବା ପିଲାଙ୍କୁ ଉଦ୍ଧାର କରିବା ସହ ମୌଲାନା ରହିମ୍ଙ୍କୁ ଗିରଫ କରିଥିଲା। ଏହି ମାଦ୍ରାସାରେ ମୁଖ୍ୟତଃ ବିହାରରୁ ଆସିଥିବା ପିଲାମାନେ ରହି ପାଠ ପଢ଼ୁଥିଲେ। ମୌଲାନା ରହିମ୍ଙ୍କ ଘର ମଧ୍ୟ ବିହାରରେ ବୋଲି ଜଣାପଡ଼ିଛି।
ପୁଲିସ୍ ରହିମ୍ଙ୍କୁ ଗିରଫ କରି ତାଙ୍କ ବିରୋଧରେ ପୋକ୍ସୋ ଓ ଆଇପିସି ଅନୁଯାୟୀ ମାମଲା ରୁଜୁ କରାଯାଇଛି।