ମଧ୍ୟପ୍ରଦେଶ: ବୁଧବାର ଦିନ ମଧ୍ୟପ୍ରଦେଶ ପୁଲିସ ଟିକମାଗଡ଼ରୁ ଜଣେ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିଛି। ତିନି ଦିନ ତଳେ ୫ ଜଣ ଅପରାଧୀ ପୁଲିସ ବେଶରେ ଯାଇ ତାଙ୍କୁ ଅପହରଣ କରି ନେଇଥିଲେ। ସେଥିରୁ ଚାରି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
କିନ୍ତୁ, ମାମଲାର ମୁଖ୍ୟ ଅଭିଯୁକ୍ତ ଦେବରାଜ ସିଂହ ଫେରାର ହୋଇଯାଇଛି ବୋଲି ପୁଲିସ କହିଛି।
ଗିରଫ ହୋଇଥିବା ଧର୍ମେନ୍ଦ୍ର ସିଂହ, ରାଜେଶ ରାଇକ୍ଓ୍ଵାର୍, ହେମରାଜ କୁର୍ମି ଏବଂ ରାଜେଶ ସିଂହଙ୍କ ଠାରୁ ତିନୋଟି ପିସ୍ତଲ ଏବଂ ସାତଟୁ ଗୁଳି ଉଦ୍ଧାର କରାଯାଇଛି।
ପନ୍ନାର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରିୟାଜ୍ ଇକ୍ବାଲ୍ କହିଛନ୍ତି କି, ସେମାନେ ଯୁବତୀଙ୍କ ବୟାନ ରେକର୍ଡ କରିବେ। ଅପରାଧର ହେତୁ କ’ଣ ତାହା ଜାଣିବାକୁ ଉଦ୍ୟମ ଚାଲିଛି। ଦେବରାଜ ସିଂହ ଏବଂ ସେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ଗିରଫ ହୋଇଥିବା ଅଭିଯୁକ୍ତମାନେ କହୁଥିଲେ ମଧ୍ୟ ତା’ର ସତ୍ୟାସତ୍ୟ ଜଣାପଡ଼ି ନାହିଁ।
ପୁଲିସ କହିବାନୁସାରେ, ପନ୍ନା ଜିଲ୍ଲାରୁ ଯୁବତୀଙ୍କୁ ଅପହରଣ କରାଯିବା ପରେ ଅଭିଯୁକ୍ତମାନେ ଆଗ୍ରା ଦେଇ ଦିଲ୍ଲୀ ଯିବା ଆଗରୁ ତାଙ୍କୁ ଦାମୋଃ, ସାଗର, ଭୋପାଳ, ଇନ୍ଦୋର, ଶିବପୁରୀ ଆଦି ରାଜ୍ୟରେ ବିଭିନ୍ନ ସ୍ଥାନରେ ରଖିଥିଲେ।
ଚାରିଜଣଯାକ ଦେବରାଜ ସାଙ୍ଗରେ ଶିବପୁରୀ ଯାଏଁ ଯାଇଥିଲେ। ପରେ ଦେବରାଜ ସିଂହ ଯୁବତୀଙ୍କ ସହ ଟିକମାଗଡ଼ ଫେରି ଆସିଥିଲା। ସେଠାରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। କିନ୍ତୁ, କୌଣସିମତେ ସିଂହ ପୁଲିସ ହାବୁଡ଼ରୁ ଖସି ପଳାଇ ଯାଇଛି।