କଟନୀ: ପୁଚ୍ଛ ଉପାଡ଼ି ଗୋଟାଏ ମୟୂରକୁ ନିର୍ଯାତନା ଦେଉଥିବା ଦୃଶ୍ୟ ଭିଡିଓରେ ଦେଖିବା ପରେ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଥିବା କଥା ରବିବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।
ସାମାଜିକ ଗଣମାଧ୍ୟମରେ ସେୟାର୍ ହେଉଥିବା ଉକ୍ତ ଭିଡିଓରେ ଦେଖାଯାଉଛି, ଅତି ନୃଶଂସ ଭାବରେ ବ୍ୟକ୍ତିଜଣକ ଉକ୍ତ ମୟୂରର ପୁଚ୍ଛ ସବୁ ଉପାଡ଼ି ପକାଉଛନ୍ତି।
ଉକ୍ତ ଭିଡିଓ ଆଧାରରେ କଟନୀ ଜିଲ୍ଲା ଅନ୍ତର୍ଗତ ରୀଠୀ ନଗରୀର ଜଣେ ବ୍ୟକ୍ତିଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି ବୋଲି ବନ ବିଭାଗ ଅଧିକାରୀ ଗୌରବ ଶର୍ମା କହିଛନ୍ତି।
‘ଡିଭିଜ୍ନାଲ୍ ଫରେଷ୍ଟ୍ ଅଫିସର୍’ ଗୌରବ ଶର୍ମା କହିଛନ୍ତି, ମୟୂରଟିକୁ ନିର୍ଯାତନା ଦେଉଥିବା ଭିଡିଓଟି ୨ ଦିନ ତଳେ ଗୁଜରାଟସ୍ଥିତ ଏକ ‘ଏନ୍ଜିଓ’ ସେୟାର୍ କରିଥିଲା। ତାହାକୁ ଦେଖିବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଥିଲା।
ଭିଡିଓରେ ଦେଖାଯାଉଥିବା ମଟର୍ସାଇକେଲ୍ର ପଞ୍ଜୀକୃତ ନମ୍ବରକୁ ଭିତ୍ତିକରି ରୀଠୀ ନଗରୀର ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କଥା ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ବନ୍ୟ ପ୍ରାଣୀ (ସୁରକ୍ଷା) ଆଇନ’ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତ ଅତୁଲଙ୍କ ନାଁ’ରେ ମାମଲା ରୁଜୁ କରାଯାଇଛି। ଫେରାର ଅତୁଲଙ୍କୁ ଧରିବା ପାଇଁ ପୁଲିସ ତଲାସ ଆରମ୍ଭ କରିଛି।
ଅଭିଯୁକ୍ତ ଅତୁଲ ମୟୂରଟିର ପୁଚ୍ଛ ଉପାଡୁଥିବା ବେଳେ ତାଙ୍କର ଜଣେ ବାନ୍ଧବୀ ତାହା ଦେଖୁଥିବା ଦୃଶ୍ୟ ସେ ଭିଡିଓରେ ରହିଛି। ବ୍ୟାକ୍ଗ୍ରାଉଣ୍ଡ୍ ମ୍ୟୁଜିକ୍ ମିଶାଇ ଉକ୍ତ ଭିଡିଓଟିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରାଯାଇଛି।