ଆୟୁଷ୍ମାନ ଯୋଜନାକୁ ନିନ୍ଦା! ଟଙ୍କା ଜମା ନକରିବାରୁ ସରକାରୀ ହସ୍ପିଟାଲ୍‌ରୁ ତଡ଼ା ଖାଇଲେ ପ୍ରସୂତୀ

ଭୋପାଲ: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଯୋଜନା’କୁ ବାରମ୍ବାର ପରିହାସ! ଉତ୍ତରପ୍ରଦେଶର ପରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ମଙ୍ଗଳବାର ରାତିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମଧ୍ୟପ୍ରଦେଶର ଏକ ସରକାରୀ ହସ୍ପିଟାଲ୍‌ରେ ଜଣେ ଗର୍ଭବତୀ ମହିଳା ୫ ହଜାର ଟଙ୍କା ଦେଇ ନ ପାରିବାରୁ ତାଙ୍କୁ ଚିକିତ୍ସା ନକରି ହସ୍ପିଟାଲ୍‌ର କର୍ମଚାରୀମାନେ ବାହାରକୁ ବାହର କରି ଦେଇଛନ୍ତି।

ଏ ସଂପର୍କରେ ମହିଳାଙ୍କ ସ୍ୱାମୀ କହନ୍ତି, ‘ମୁଁ ମୋ ପତ୍ନୀଙ୍କ ପ୍ରସବ ପାଇଁ ପରିବାରଲୋକଙ୍କ ସହ ଏଠାକୁ ଆସିଥିଲି। ହସ୍ପିଟାଲ୍‌ରେ ଥିବା ନର୍ସ ଜଣକ ଆମକୁ ୫ ହଜାର ଟଙ୍କା ଜମା କରିବାକୁ କହିଲେ। ଯଦି ମୁଁ ଟଙ୍କା ଜମା ନକରେ ସେ ମୋର କିଛି ସାହାଯ୍ୟ କରିପାରିବେ ନାହିଁ ବୋଲି କହି ବାହାରକୁ ବାହାର କରିଦେଲେ।’

ପରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ଆଉ ଏକ ସରକାରୀ ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ, ଏପରି ଏକ ଅଭିଯୋଗକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରି ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାସ ଉତ୍ତରପ୍ରଦେଶରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ୨ ଜଣ ପ୍ରସୂତିଙ୍କୁ ସେ ସମୟରେ ହସ୍ପିଟାଲ୍‌କୁ ଫେରାଇ ଦିଆଯିବା ପରେ ସେମାନେ ରାଜରାସ୍ତାରେ ପିଲା ଜନ୍ମ କରିଥିବା ଖବର ହସ୍ତଗତ ହୋଇଥିଲା।

ସମ୍ବନ୍ଧିତ ଖବର