ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିିଳିଛି ଏକ ନିଆରା ଘଟଣା। ଜଣେ ପୁରୁଷ ଦୁଷ୍କର୍ମ କରିବାକୁ ଆସୁଥିବା ବେଳେ ମହିଳା ଜଣକ ତାଙ୍କ ଗୁପ୍ତାଙ୍ଗକୁ କାଟିଦେଇ ଚର୍ଚ୍ଚା ପାଲଟିଛନ୍ତି। ଏ ନେଇ ଥାନାରେ ଉଭୟ ପୁରୁଷ ଓ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଅଭିଯୁକ୍ତ ବ୍ୟକ୍ତି ଜଣକ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଥିବା ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣକ ତାଙ୍କ ଗୁପ୍ତାଙ୍ଗକୁ ଛେଦନ କରିଛନ୍ତି।
ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ଉମାରିହା ଗ୍ରାମରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ସମୟରେ ମହିଳାଙ୍କ ସ୍ବାମୀ ତାଙ୍କ ଘରେ ନଥିଲେ ବୋଲି ମହିଳା ଜଣକ ତାଙ୍କ ବୟାନରେ କହିଛନ୍ତି।
ଏହି ଘଟଣା ସଂପର୍କରେ ତଦନ୍ତକାରୀ ପୁଲିସ୍ ସବ୍ ଇନ୍ସ୍ପେକ୍ଟରଙ୍କ କହିବା କଥା ହେଲା,‘ମହିଳା ଜଣକ ତାଙ୍କ ୧୩ ବର୍ଷୀୟ ପୁଅ ସହ ନିଜ ଘରେ ଥିବା ଅବସ୍ଥାରେ ଅଭିଯୁକ୍ତ ତାଙ୍କ ଘରକୁ ପଶି ଆସିଥିଲେ। କେହି ଚୋର ଚୋରି କରିବାକୁ ପଶିଛି ଭାବେ ୧୩ ବର୍ଷୀୟ ବାଳକ ଜଣକ ଘରୁ ଦୌଡ଼ି ବାହାରକୁ ପଳାଇଥିଲେ। ଏହି ସମୟରେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେ ଦୀର୍ଘ ୨୦ ମିନିଟ୍ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବା ପରେ ମହିଳା ଜଣକ ଆତ୍ମରକ୍ଷା ଲାଗି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ।’