ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟାକାଣ୍ତର ଗୁମର ଫିଟିବାରେ ଲାଗିଛି। ହତ୍ୟାକାଣ୍ଡରେ ମୁକ୍ତିରଞ୍ଜନ ମୁଖ୍ୟ ଅଭିଯୁକ୍ତ ବୋଲି ଭଦ୍ରକ ଏସ୍‌ପି ସ୍ପଷ୍ଟ କରିଥିବା ବେଳେ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ଆତ୍ମହତ୍ୟା ପରେ ପୂରା ଘଟଣା ଉପରୁ ପରଦା ଉଠିବାରେ ଲାଗିଛି। ପୁଲିସ କହିଛି ଯେ, ମୁକ୍ତିରଞ୍ଜନ ପ୍ରଥମେ ମହାଲକ୍ଷ୍ମୀଙ୍କୁ ବିବାହ କରିବାକୁ ଚାହୁଥିଲେ। ହେଲେ ପରେ ସେ ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଜାଣି ବିବାହ କରିବାକୁ ମନା କରିଦେଲେ, ଯାହା ଶୁଣି ରାଗରେ ମହାଲକ୍ଷ୍ମୀ, ମୁକ୍ତିଙ୍କୁ ହତ୍ୟା ଧମକ ଦେବା ଆରମ୍ଭ କରିଥିଲେ।

Advertisment

ପୁଲିସର କହିବା ମୁତାବକ, ସେପ୍ଟେମ୍ବର ୨୦୨୩ରେ ମହାଲକ୍ଷ୍ମୀ, ସ୍ବାମୀ ହେମନ୍ତଙ୍କଠାରୁ ଅଲଗା ହୋଇ ରହିବା ଆରମ୍ଭ କରିଥିଲେ। ଅସରଫଙ୍କ ସହ ସମ୍ପର୍କ ଥିବା ଜାଣି ସ୍ବାମୀ ଝଗଡ଼ା କରିବାରୁ ମହାଲକ୍ଷ୍ମୀ ଘର ଛାଡ଼ିଥିଲେ। ପେଟ ପୋଷିକା ପାଇଁ ମହାଲକ୍ଷ୍ମୀ ଏକ ପୋଷାକ ଦୋକାନରେ କାମ କରିବା ଆରମ୍ଭ କରିଥିବା ବେ‌ଳେ ସେଠାରେ ତାଙ୍କର ଦେଖା ମୁକ୍ତିଙ୍କ ସହ ହୋଇଥିଲା। ପ୍ରଥମ ୬ମାସ ଦୁହିଁଙ୍କ ମଧ୍ୟରେ ସବୁ ଭଲ ଚାଲିଥିଲା ଏବଂ ଦୁହେଁ ଏକାଠି ରହିବା ଆରମ୍ଭ କରିଥିଲେ। ହେଲେ ପରେ ସମ୍ପର୍କରେ ତିକ୍ତତା ଆସିଥି‌ଲା। ମହାଲକ୍ଷ୍ମୀ ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ ମୁକ୍ତି। ତାଙ୍କ ଫୋନରେ ଅନ୍ୟ ପୁରୁଷଙ୍କ ସହ ‌ଫଟୋ ଦେଖି ରାଗିଯାଇଥିଲେ ମୁକ୍ତି। ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ବିବାହ କରିବାକୁ ମନା କରିଦେଇଥିଲେ ମୁକ୍ତି। ଏହା ଶୁଣି ମହାଲକ୍ଷ୍ମୀ, ମୁକ୍ତିଙ୍କୁ ମାଡ଼ ମାରିବା ପରେ ମୁକ୍ତି ମଧ୍ୟ ମହାଲକ୍ଷ୍ମୀଙ୍କୁ ମାଡ଼ ମାରିଥିଲେ। ଅନେକ ଥର ଏଭଳି ଝଗଡ଼ା ଦୁହିଁଙ୍କ ମଧ୍ୟରେ ହୋଇଥିବା ବେଳେ ପୁଲିସରେ ଅଭିଯୋଗ ବି ହୋଇଥିଲା।

ତେବେ ସେପ୍ଟେମ୍ବର ୩, ୨୦୨୪ରେ ପୁଣି ଥରେ ବିବାହକୁ ନେଇ ଝଗଡ଼ା ହେବାରୁ ମୁକ୍ତି ରାଗରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲେ। ମହାଲକ୍ଷ୍ମୀଙ୍କ ରାଗ ଓ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ପାଇଁ ମୁକ୍ତି ଏଭଳି କରିଥିବା ଜଣାଯାଇଛି।