ମୁମ୍ବାଇ: ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୁଲିସ। ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହୋଇଥିଲେ ମିହିର୍। ଗିରଫ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ପୁଲିସ ମିହିରଙ୍କୁ କୋର୍ଟରେ ହାଜର କରି ତାଙ୍କର କଷ୍ଟଡି ମାଗିଥିଲା। ଏବେ ପୁଲିସର ଆବେଦନ ଗ୍ରହଣ କରି କୋର୍ଟ ମିହିରଙ୍କୁ ଜୁଲାଇ ୧୬ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ପଠାଇଛନ୍ତି।
କଷ୍ଟଡି ପାଇଁ ଆବେଦନ କରି ପୁଲିସ କହିଥିଲା ଯେ, ଅଭିଯୁକ୍ତ ମିହିର୍ ଅପରାଧ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ, କିଏ ତାଙ୍କୁ ଖସିଯିବାକୁ ସାହାଯ୍ୟ କରିଥିଲା ଏବଂ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର ମାଲିକାନା ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏସବୁ ପାଇଁ ସମୟ ଲାଗିବ। ତେଣୁ ଆମକୁ ଅଧିକ ସମୟର ଆବଶ୍ୟକତା ରହିଛି। ପୁଲିସର ପକ୍ଷ ଶୁଣିବା ପରେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାଯାଇଛି।
ଅନ୍ୟପକ୍ଷରେ ପୁଅ ମିହିର୍ ଶାହ ପାଇଁ ପଦବୀ ହରାଇଛନ୍ତି ଶିବସେନା ନେତା ରାଜେଶ ଶାହ। ସୂଚନା ମୁତାବକ, ରାଜେଶ ଶାହ ପାଲଘରର ଉପନେତା ଥିଲେ। ପୁଅ ଫେରାର ଥିବାରୁ ପୁଲିସ ପ୍ରଥମେ ରାଜେଶ ଶାହଙ୍କୁ ଗିରଫ କରିଥିଲା। ସୋମବାର କୋର୍ଟ ତାଙ୍କୁ ୧୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଥିବା ବେଳେ ପରେ ତାଙ୍କୁ ଜାମିନ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ମୃତକ କାବେରୀ ଓ ତାଙ୍କ ସ୍ବାମୀ ରବିବାର ସକାଳ ୫.୩୦ ସମୟରେ ମାଛ କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାବେରୀଙ୍କ ସ୍ବାମୀ କହିଥିଲେ ଯେ, “ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ ମିହିରଙ୍କ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-117.jpg)