ମୁମ୍ବାଇ: ମହାରାଷ୍ଟ୍ରର ଏକ ଅଦାଲତ ଚାରିବର୍ଷର ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ଜଣେ ବୃଦ୍ଧା ଓ ତାଙ୍କ ସ୍ବାମୀଙ୍କୁ ୧୦ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ଘଟଣାଟି ୨୦୧୩ରେ ଘଟିଥିଲା। ପୁଲିସକୁ ଦେଇଥିବା ବୟାନରେ ଶିଶୁ କହିଥିଲା କି, ୨୦୧୩ ଡିସେମ୍ବରରେ ସ୍କୁଲରୁ ଘରକୁ ଆସିଥିଲି। ଘରେ ପହଞ୍ଚି ଖାଇ ସାରିବା ପରେ ଟିଭିରେ କାର୍ଟୁନ ଦେଖୁଥିଲି। ଦ୍ବିପହର ସମୟରେ ସାଙ୍ଗ ସହିତ କୋଠାର ଚତୁର୍ଥ ମହଲାକୁ ଯାଇଥିଲି। ଏହି ସମୟରେ ସେଠାରେ ମୁଁ ଯାହାଙ୍କୁ ଜେଜେ-ଜେଜେମା’ ଡାକେ ଦୁହେଁ ମୋତେ ଡାକିଥିଲେ।
ଘରକୁ ନେଇ ଦୋଳିରେ ବସାଇଥିଲେ। ମୁଁ ସେ ଦୋଳିରୁ ଓହ୍ଲାଇବାକୁ ଚେଷ୍ଟା କରିବା ବେଳେ ଜେଜେ ମୋତେ ଚାପୁଡ଼ା ମାରିଥିଲେ। ଏହି ସମୟରେ ଜେଜେମା’ ମୋତେ ଜୋରଜବରଦସ୍ତି ଧରି ରହିଥିବା ବେଳେ ଜେଜେ ଯୌନ ନିର୍ଯାତନା ଦେଇଥିଲେ। ମୁଁ ସେଠାରୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଜେଜେ ମୋ ଉପରେ ଛେପ ପକାଇଥିଲେ। ମୁଁ ଭୟଭୀତ ହୋଇଯାଇଥିଲି। କିଛି ସମୟ ସ୍ଥିର ରହିବା ପରେ ମଉକା ଦେଖି ମୁଁ ସେଠାରୁ ଖସି ଚାଲି ଆସିଥିଲି।
ପୀଡିତା ଶିଶୁଙ୍କ ମା’ଙ୍କ କହିବାନୁସାରେ, ଝିଅ ୧୦ଟା ବେଳେ ଘରକୁ ଆସିଲା। ଆଉ ମୋତେ କିଛି କହିବାକୁ ଚାହୁଁଛି ବୋଲି କହିଥିଲା। ଏହାପରେ ତା’ ସହିତ ଘଟିଥିବା ଏହି ଲଜ୍ଜାଜନକ ଘଟଣାକୁ ବଖାଣିଥିଲା। ମୁଁ ଝିଅ ମୁହଁରୁ ଏସବୁ ଶୁଣି ସ୍ତବ୍ଧ ହୋଇଯାଇଥିଲି। ଝିଅର ସମ୍ଭେଦନଶୀଳ ଅଙ୍ଗଗୁଡ଼ିକ କ୍ଷତାକ୍ତ ବି ହୋଇଥିଲା। ମୁଁ ଏହି ଘଟଣା ବିଷୟରେ ସ୍ବାମୀଙ୍କୁ ଜଣାଇବା ସହିତ ବୃଦ୍ଧ ଦମ୍ପତିଙ୍କ ବିରୋଧରେ ଥାନାକୁ ଯାଇ ମାମଲା ରୁଜୁ କରିଥିଲି। ଏହି ଅଭିଯୋଗ କ୍ରମେ ପୁଲିସ ଉକ୍ତ ବୃଦ୍ଧ ଦମ୍ପତିକୁ ଘଟଣାର ପର ଦିନ ଗିରଫ କରିଥିଲା।