ଢାବାରେ ଜନ୍ମଦିନ ପାର୍ଟି ଦେଉଥିବା ନାବାଳକଙ୍କୁ ହତ୍ୟା କଲେ ୪ ବନ୍ଧୁ! ବିଲ୍‌ ପାଇଁ ହୋଇଥିଲା ବିବାଦ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୁମ୍ବାଇର ଏକ ଢାବାରେ କିଛି ପିଲା ମିଶି କରି ପାର୍ଟି କରୁଥିଲେ। ପାର୍ଟି ସରିବା ପରେ ୧୦ ହଜାର ଟଙ୍କା ବିଲ୍‌ ଆସିବାରୁ ପରସ୍ପରଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଫଳରେ ୪ ଜଣ ଯାକ ସାଙ୍ଗ ମିିଶି ଜଣେ ୧୮ ବର୍ଷୀୟ ନାବାଳକକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା  ଜଣାପଡ଼ିଛି। ପୁଲିସ୍‌ ୨ ନାବାଳକଙ୍କୁ ହେପାଜତରେ ନେଇ ବାକିମାନଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ୟୁପିର ବାସିନ୍ଦା ୧୯ ଏବଂ ୨୨ ବର୍ଷର ଦୁଇ ଅଭିଯୁକ୍ତଙ୍କୁ ଗୁଜୁରାଟରୁ ଗିରଫ କରାଯାଇଛି। ତେବେ ନାବାଳକ ଦ୍ବୟ ପୁଲିସ୍‌ ସମ୍ମୁଖରେ ଆତ୍ମସମର୍ପଣ କରିବା ପରେ ପୁଲିସ୍‌ ସେମାନଙ୍କୁ ହେପାଜତରେ ନେଇଥିଲା।

ସୂତ୍ରରୁ ପ୍ରକାଶ ଯେ ନାବାଳକ ଜଣକ ମେ ୩୧ ତାରିଖରେ ମୁମ୍ବାଇର ଏକ ଢାବାରେ ନିଜର ଜନ୍ମଦିନ ପାର୍ଟି ଦେଉଥିଲେ। ସେହି ପାର୍ଟିର ଖାଇବାର ବିଲ୍‌ ପ୍ରାୟ ୧୦, ୦୦୦ ଟଙ୍କା ଆସିଲା। ବିଲ୍‌ ଭରିବା ନେଇ ମୃତ ନାବାଳକ ଏବଂ ତା‌ଙ୍କ ବନ୍ଧୁମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତାପରେ ସେ ନିଜ ପକେଟ୍‌ରୁ ଟଙ୍କା ଦେଇ ବିଲ୍‌ ଭରିଦେଲେ।

ପରେ ୪ ଜଣ ଯାକ ଅଭିଯୁକ୍ତ ଅନ୍ୟ ଜଣଙ୍କ ଜନ୍ମଦିନ ଅଛି ବୋଲି କହି ଏକ ପାର୍ଟିର ଆୟୋଜନ କଲେ। ସେହି ପାର୍ଟିକୁ ମୃତ ନାବାଳକଙ୍କୁ ନିମନ୍ତ୍ରଣ କରିଥିଲେ। ୪ ଜଣ ମିଶି ତ‌ାଙ୍କୁ କେକ୍‌ ଖୁଆଇବା ସହ ପରେ ଆକ୍ରମଣ କରି ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର