ମୁମ୍ବାଇ: ଅନ୍ଲାଇନ୍ରୁ ସିଙ୍ଗଡ଼ା ବରାଦ କରି ହରଡ଼ଘଣାରେ ପଡ଼ିଛନ୍ତି ମୁମ୍ବାଇର ଜଣେ ଡାକ୍ତର। ମାତ୍ର ୨୫ ପ୍ଲେଟ୍ ସିଙ୍ଗଡ଼ା ପାଇଁ ସେ ୧.୪୦ ଲକ୍ଷ ଟଙ୍କାର ଠକାମୀର ଶିକାର ହୋଇଛନ୍ତି। ମାମଲା ସାୟନ ଅଞ୍ଚଳର। କେଇଏମ୍ ହସ୍ପିଟାଲ୍ରେ ଚାକିରି କରିଥିବା ଜଣେ ୨୭ ବର୍ଷୀୟ ଡାକ୍ତର ଏପରି ଅନ୍ଲାଇନ୍ ଠକାମୀର ଶିକାର ହେବା ପରେ ଥାନାର ଦ୍ବାରାସ୍ଥ ହୋଇ ଏକ ମାମଲା ରୁଜୁ କରିଛନ୍ତି।
ପୀଡ଼ିତ ଡାକ୍ତରଙ୍କ କହିବାନୁଯାୟୀ, ଶନିବାର ସକାଳ ପ୍ରାୟ ୮.୩୦ ବେଳେ ସେ ସିଙ୍ଗଡ଼ା ବରାଦ କରିଥିଲେ। ମାତ୍ର ତାଙ୍କ ଏକଥା ଜଣାନଥିଲା ଯେ ୨୫ ପ୍ଲେଟ୍ ସିଙ୍ଗଡ଼ା ଚକ୍କରରେ ସେ ଏତେ ଟଙ୍କା ହରାଇ ବସିବେ ବୋଲି।
ଶନିବାର ଡାକ୍ତର ଜଣକ ତାଙ୍କ ବନ୍ଧୁମାନଙ୍କ ସହ ପିକ୍ନିକ୍ ଯାଇଥାନ୍ତେ ବୋଲି ବାଟରେ ଖାଇବାକୁ ସିଙ୍ଗଡ଼ା ମଗାଇବାକୁ ଭାବିଲେ। ତା’ପରେ ସେ ଗୁରୁକୃପା ରେଷ୍ଟୁରାଣ୍ଟ୍ରୁ ୨୫ ପ୍ଲେଟ୍ ସିଙ୍ଗଡ଼ା ବରାଦ କଲେ। ୨୫ ପ୍ଲେଟ୍ ସିଙ୍ଗଡ଼ା ପାଇଁ ରେଷ୍ଟୁରାଣ୍ଟ୍ ପକ୍ଷରୁ ଡାକ୍ତରଙ୍କୁ ୧୫୦୦ ଟଙ୍କା ପୈଠ କରିବାକୁ କୁହାଯାଇଥିଲା।
ଡାକ୍ତର ଜଣକ ୧୫୦୦ ଟଙ୍କା ପଠାଇ ଦେଇଥିଲେ। ତା’ପରେ ପୁଣି ଥରେ ତାଙ୍କ ନିକଟକୁ ଟଙ୍କା ପୈଠ ହୋଇନାହିଁ ବୋଲି ଏକ କଲ୍ ଆସିବା ସହ ଅନ୍ୟ ଏକ ନମ୍ବରରେ ଟଙ୍କା ପଠାଇବାକୁ କୁହାଯାଇଥିଲା।
ରେଷ୍ଟୁରାଣ୍ଟ୍ କର୍ମଚାରୀ ଡାକ୍ତରଙ୍କୁ କହିଥିଲେ କି ଆମେ ଯେଉଁ ଲିଙ୍କ୍ ପଠାଉଛୁ, ତାହା ଜରିଆରେ ଟଙ୍କା ପଠାନ୍ତୁ। ଡାକ୍ତର ତାଙ୍କ କଥା ମାନି ସେହି ଲିଙ୍କ୍ରେ ଟଙ୍କା ପୈଠ କରିବାରୁ ନିଜ ଆକାଉଣ୍ଟ୍ରୁ ୨୮ ହଜାର ଟଙ୍କା କଟିଗଲା। ଏହାପରେ ତାଙ୍କୁ ଲଗାତର ଆହୁରି ୨ଟା ମେସେଜ୍ ଆସିଲା। ଯେଉଁଥିରୁ ତାଙ୍କୁ ଜଣାପଡ଼ିଲା ଯେ ତାଙ୍କ ଆକାଉଣ୍ଟ୍ରୁ ଆହୁରି ବି ଟଙ୍କା କଟିଯାଇଛି। ଶେଷରେ ଡାକ୍ତର ତୁରନ୍ତ ନିଜ ଆକାଉଣ୍ଟ୍ ବ୍ଲକ୍ କରିଥିଲେ। ହେଲେ ସେତେବେଳକୁ ସେ ୧.୪୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଚାଲିଯାଇଥିଲା ।