ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆର୍‌ବିଆଇ) ହେଲ୍‌ପଲାଇନ୍‌ ନମ୍ବରକୁ ଡାଏଲ୍‌ କରିବା ମହଙ୍ଗା ପଡ଼ିଲା। ଓଏବ୍‌ ସର୍ଚରେ ଆର୍‌ବିଆଇର ହେଲ୍‌ପଲାଇନ୍‌ ନମ୍ବର ସର୍ଚ କରି ଡାଏଲ୍‌ କରିବା ପରେ ମୁମ୍ବାଇର ମଲାଡଠାରେ ରହୁଥିବା ୭୪ ବର୍ଷିଅ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୪୮,୦୦୦ ଟଙ୍କା କଟି ଯାଇଥିବା ଜାଣିବାକୁ ମିଳିଛି।

Advertisment

ଗତ ମାସ ନିଜ ଘର ସଫା କରୁ କରୁ ମଲାଡର ବାସିନ୍ଦା ବିଜୟକୁମାର ମରଓ୍ଵା ତାଙ୍କ ଘରୁ ୭,୦୦୦ ଟଙ୍କା ଅଚଳ ନୋଟ୍‌ ପାଇଥିଲେ। ଏହାକୁ କିପରି ବଦଳାଇ ଅସଲି ଟଙ୍କା ପାଇବେ ବୋଲି ଚିନ୍ତାରେ ପଡ଼ି ଯାଇଥିଲେ ବିଜୟକୁମାର। ଶେଷରେ ତାଙ୍କ ମୁଣ୍ଡରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ଯୋଗାଯୋଗ କରିବାର ବୁଦ୍ଧି ପଶିଥିଲା। ବିଜୟକୁମାର ଇଣ୍ଟର୍‌ନେଟ୍‌ ସର୍ଚ କରି ଆର୍‌ବିଆଇ ହେଲ୍‌ପଲାଇନ୍‌ ନମ୍ବର କାଢ଼ିଥିଲେ। ମାତ୍ର ସେ ଡାଏଲ୍‌ କରିଥିବା ନମ୍ବରଟି ନକଲି ହୋଇଥିବା କାରଣରୁ ସାହାଯ୍ୟ ପାଇବା ବଦଳରେ ସେ ଓଲଟା ବଡ଼ ସମସ୍ୟାରେ ଫସି ଯାଇଛନ୍ତି। ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ମୋଟା ଅଙ୍କର ଟଙ୍କା କଟି ଯାଇଥିବା ସୂଚନା ରହିଛି।

publive-image

ବିଜୟକୁମାର ଯେଉଁ ନମ୍ବରକୁ ଡାଏଲ୍‌ କରିଥିଲେ ସେ ଜଣେ ଅନ୍‌ଲାଇନ୍‌ ଠକର ନମ୍ବର ବୋଲି ତଦନ୍ତ ପରେ ଜଣାପଡ଼ିଛି। ଠକ ଜଣକ ନମ୍ବର ରିସିଭ୍‌ କରିବା ପରେ ନିଜକୁ ଆର୍‌ବିଆଇର ସଦସ୍ୟ ବୋଲି କହି ବିଜୟକୁମାରଙ୍କୁ ଟଙ୍କା ବଦଳାଇ ଦେବା ପ୍ରତିଶ୍ରୁତି ଦେଇଥିଲେ। ବିଜୟକୁମାର ବି ବିଶ୍ୱାସ କରିଯାଇ ଠକ ବ୍ୟକ୍ତି ଜଣକ ମାଗିଥିବା ମୁତାବକ ନିଜର ସମସ୍ତ ବ୍ୟାଙ୍କ୍‌ ସୂଚନା ଦେଇ ଦେଇଥିଲେ। ଏପରିକି ସେ ନିଜର ଡେବିଟ୍‌ କାର୍ଡର ସମସ୍ତ ତଥ୍ୟ ସହ ଫୋନ୍‌କୁ ଆସିଥିବା ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ବି ଦେଇ ଦେଇଥିଲେ। ଏପରି କରିବାର ମାତ୍ର କେତେ ସମୟ ଭିତରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଆଖିପିଛୁଳାକେ କଟି ଯାଇଥିଲା ୪୮ ହଜାର ଟଙ୍କା ।

ବିଜୟକୁମାର ଠକାମୀ ଶିକାର ହୋଇଛନ୍ତି ବୋଲି ଅନୁଭବ କରିପାରିବା ପରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ଜାନୁଆରି ୬ ତାରିଖରେ ଏ ନେଇ ମଲାଡ ପୁଲିସ୍‌ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ନିଜର ସରଳବିଶ୍ୱାସ ସ୍ୱଭାବ ହେତୁ ବ୍ୟକ୍ତି ଜଣକ ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି।