ମୁମ୍ବାଇ: ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ଅନଲାଇନ ଠକେଇର ଶିକାର ହୋଇଥିବା ଖବର ମିଳିଛି। ପୀଡ଼ିତ ନିଜ ପୁଅର ଚିକିତ୍ସା ପାଇଁ ଟଙ୍କା ସଞ୍ଚୟ କରିଥିବା ବେଳେ ତାଙ୍କ ଆକାଉଣ୍ଟରୁ ୯୦,୦୦୦ଟଙ୍କା ଚାଲିଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡ଼ିତଙ୍କ ନାଁ ସାଙ୍କେତ କୁମାର ବର୍ମା ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ତାଙ୍କ ୧୧ବର୍ଷୀୟ ପୁଅର ବୋନ୍ ମ୍ୟାରୋ ପ୍ରତିରୋପଣ ପାଇଁ ଟଙ୍କା ସଞ୍ଚୟ କରିଥିଲେ।
ପୁଲିସ ଦେଇଥିବା ସୂଚନାନୁସାରେ, ଡିସେମ୍ବର ୨୪ରେ ବର୍ମାଙ୍କ ଫୋନକୁ ଏକ ମେସେଜ ଆସିଥିଲା। ଯେଉଁଥିରେ ଏକ ଫୋନ ନମ୍ବର ଲେଖାଥିବା ସହ ତାଙ୍କର ଇ-ୱଲେଟ ବନ୍ଦ ହେବାକୁ ଯାଉଛି ବୋଲି ଲେଖାଯାଇଥିଲା। ଏହା ପରେ ପୂରା ଘଟଣା ଜାଣିବା ପାଇଁ ବର୍ମା ମେସଜେରେ ଆସିଥିବା ନମ୍ବରକୁ ଫୋନ କରିଥିଲେ। ଜଣେ ଯବକ ଫୋନ ଉଠାଇ ତାଙ୍କୁ କୁଇକ୍ ସପୋର୍ଟ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ଏହି ଆପ୍ ଡାଉନଲୋଡ୍ କଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ଯୁବକଜଣଙ୍କ କହିବା ପରେ ବର୍ମା ଆପ୍ ଡାଉନଲୋଡ୍ କରିଥିଲେ।
ହେଲେ ଆପ୍ ଡାଉନଲୋଡ୍ କରିବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରେ ଥିବା ୯୦,୦୦୦ଟଙ୍କା ଖାଲି ହୋଇ ଯାଇଥିଲା। ଏହାର କାରଣ ଜାଣିବା ପାଇଁ ବର୍ମା ପୁଣି ସେହି ନମ୍ବରକୁ ଫୋନ କରିଥିଲେ ମଧ୍ୟ ସେତେବେଳକୁ ଫୋନ ବନ୍ଦ ହୋଇ ସାରିଥିଲା। ଏବେ ଅଭିଯୋଗ ହେବା ପରେ ଟଙ୍କା ନେଇଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ।