ପଡ଼ୋଶିନୀଙ୍କୁ ଫୋନ ନମ୍ବର ମାଗିବା କାଳ ହେଲା : ମହିଳା ଏବଂ ତାଙ୍କ ସାଥୀ ମିଶି ଯୁବକଙ୍କୁ ହତ୍ୟା କଲେ

ମୁମ୍ବାଇ : ମୁମ୍ବାଇ ଚେମ୍ବୁରର କୃଷ୍ଣା ମେନନ୍‌ ନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ତାଙ୍କ ପଡ଼ୋଶୀ ମହିଳାଙ୍କୁ ଫୋନ୍‌ ନମ୍ବର ମାଗିବାରୁ ସେ ତାଙ୍କ ସାଥୀଙ୍କ ସହ ମିଶି ଯୁବକଙ୍କୁ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ବନ୍ଧରେ ସ୍ଥାନୀୟ ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରାଯିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୁଲିସ ।

The Indian Express

ଘଟଣା ମୁତାବକ , ସୋମବାର ଦିନ ଚେମ୍ବୁରର କୃଷ୍ଣା ମେନନ୍‌ ନଗରରେ ରହୁଥିବା ରାକେଶ ନାମକ ଯୁବକ ତାଙ୍କ ପଡ଼ୋଶୀରେ ରହୁଥିବା ମୀନା ଝେଡ଼ଙ୍କୁ ତାଙ୍କର ଫୋନ୍‌ ନମ୍ବର ମାଗିଥିଲେ । ମୀନା କିନ୍ତୁ ରାକେଶଙ୍କୁ ଫୋନ ନମ୍ବର ଦେବା ପାଇଁ ମନା କରିଦେଇଥିଲେ । ସନ୍ଧ୍ୟା ସମୟରେ ମହିଳାଙ୍କ ସାଥୀ ପଶଓ୍ଵନ୍ତ ଘରକୁ ଫେରିବାରୁ ମୀନା ରାକେଶଙ୍କ ବିଷୟରେ ତାଙ୍କୁ ଅଭିଯୋଗ କରିଥିଲେ । ଯେଉଁଥିରେ କ୍ରୋଧିତ ହୋଇ ପଶଓ୍ଵନ୍ତ ରାକେଶଙ୍କ ଘରକୁ ଯାଇ ତାଙ୍କୁ ନିସ୍ତୁକ ପିଟିବା ଆରମ୍ଭ କରିଥିଲେ । ଏହି ସମୟରେ ମୀନା ମଧ୍ୟ ତାଙ୍କର ସାଥ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ରାକେଶଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ଡ଼ାକ୍ତରଖାନା ପଠାଇଥିଲା। ଏହାପରେ ସ୍ଥାନୀୟ ବ୍ୟକ୍ତିଙ୍କ ସୂଚନା କ୍ରମେ ଅଭିଯୁକ୍ତ ମୀନା ଏବଂ ପଶଓ୍ଵନ୍ତଙ୍କୁ ପୁଲିସ୍‌ ଗିରଫ କରିଥିଲା। ଡ଼ିଏସ୍‌ପି ଶାହଜି ଉମେପ୍‌ଙ୍କ ଅନୁଯାୟୀ ବ୍ୟବଛେଦର ରିପୋର୍ଟ ଆସିବା ପରେ ଘଟଣାର କାରଣ ସ୍ପଷ୍ଟ ହେବ । ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ବୋଲି କହିଛନ୍ତି ଉମେପ୍‌ ।

ସମ୍ବନ୍ଧିତ ଖବର