ପ୍ରେମିକ ସହ ରହିବା ପାଇଁ ସୁନାର ସଂସାର ଭାଙ୍ଗିଲା ସ୍ତ୍ରୀ, ସ୍ଲୋ ପଏଜନ ଦେଇ ସ୍ବାମୀକୁ ହତ୍ୟା କଲା

ମୁମ୍ବାଇ: ପ୍ରେମିକ ସହ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ହତ୍ୟା ବୋଲି ଯେମିତି କେହି ଜାଣିନପାରିବେ  ସେଥିପାଇଁ ଅଭିଯୁକ୍ତ ପତ୍ନୀ ପୀଡ଼ିତଙ୍କୁ ପ୍ରତିଦିନ ଖାଇବାର ଆର୍ସେନିକ୍ ଏବଂ ଥାଲିୟମ୍ ମିଶାଇ ଖାଇବାକୁ ଦେଉଥିଲେ। ପୀଡ଼ିତଙ୍କ ମୃତ୍ୟୁ ପରେ ଏହା ହତ୍ୟା ବୋଲି କେହି ଜାଣି ବି ପାରିନଥିଲେ। ହେଲେ ଚିକିତ୍ସା କରୁଥିବା ଡାକ୍ତର ପୂରା ସତ ସାମ୍ନାକୁ ଆଣିଥିଲେ। ପରେ ଡାକ୍ତରଙ୍କ ଅଭିଯୋଗକ୍ରମେ ଉଭୟ ପତ୍ନୀ କବିତା ଓ ପ୍ରେମିକ ହିତେଶ ଜୈନକୁ ଗିରଫ କରିଛି ପୁଲିସ।

ସୂଚନା ମୁତାବକ, ପୀଡ଼ିତ କମଳକାନ୍ତଙ୍କୁ ସେପ୍ଟେମ୍ବର ୩,୨୦୨୨ରେ ବମ୍ବେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା। କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇପାରି ନଥିଲେ। ଚିକିତ୍ସା ସମୟରେ କମଳକାନ୍ତଙ୍କ ରକ୍ତର ହେବି ମେଟାଲ ଟେଷ୍ଟ କରାଇଥିଲେ ଡାକ୍ତର। କମଳକାନ୍ତଙ୍କ ମୃତ୍ୟୁ ପରେ ପରୀକ୍ଷାର ରିପୋର୍ଟ ଆସିଥିଲା। ରିପୋର୍ଟ ଦେଖି କମଳକାନ୍ତଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ସନ୍ଦେହ ବଢ଼ିଥିଲା। କାରଣ ରିପୋର୍ଟ ଆସିବା ପରେ ଶରୀରରେ ଆର୍ସେନିକ୍ ଏବଂ ଥାଲିୟମ୍ ଧାତୁର ସ୍ତର ଅଧିକ ଥିବା ଜାଣିପାରିଥିଲେ ଡାକ୍ତର | କୌଣସି ମଣିଷ ଶରୀର ଏହି ଧାତୁର ମାତ୍ରା ଏତେ ଅଧିକ ରହିବା ସମ୍ଭବ ନୁହେଁ। ସେଥିପାଇଁ ଡାକ୍ତରମାନେ ଆଜାଦ ମଇଦାନ ପୁଲିସ ଷ୍ଟେସନକୁ ଏ ବିଷୟରେ ଜଣାଇଥିଲେ। ଆଜାଦ ମଇଦାନ ପୁଲିସ ଏକ ମାମଲା ପଞ୍ଜୀକୃତ କରି ଅଧିକ ତଦନ୍ତ ପାଇଁ ସାନ୍ତାକ୍ରୁଜ ପୁଲିସ ଷ୍ଟେସନକୁ ମାମଲା ହସ୍ତାନ୍ତର କରିଥିଲା।

ହେଲେ ଶେଷରେ ଯାଞ୍ଚ କ୍ରାଇମ ବ୍ରାଞ୍ଚ ହାତକୁ ଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପ୍ରେମିକ ହିତେଶଙ୍କ ସହ ରହିବା ପାଇଁ ପତ୍ନୀ କବିତା କମଳକାନ୍ତଙ୍କୁ ଖାଇବାରେ ଆର୍ସେନିକ୍ ଏବଂ ଥାଲିୟମ୍ ମିଶାଇ ଖାଇବାକୁ ଦେଉଥିବା ସ୍ବୀକାର କରିଥିଲେ। ଆର୍ସେନିକ୍ ଏବଂ ଥାଲିୟମ୍ ରକ୍ତରେ ପୂର୍ବରୁ ରହିଥାଏ, କିନ୍ତୁ ଯଦି ଏହା ସ୍ୱାଭାବିକଠାରୁ ଅଧିକ ହୁଏ, ତେବେ ଏହା ବିଷ ଭଳି କାମ କରେ। କମଳକାନ୍ତଙ୍କ ସହ ମଧ୍ୟ ଏହା ହିଁ ଘଟିଥିଲା।

ସମ୍ବନ୍ଧିତ ଖବର