ଦୁଷ୍କର୍ମକାରୀକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତା ମହିଳାଙ୍କୁ ଦୋଷମୁକ୍ତ ଘୋଷଣା କଲେ କୋର୍ଟ

ନିଜର ସୁରକ୍ଷା ପାଇଁ ହତ୍ୟା ଏକ ଅପରାଧ ନୁହେଁ

ମୁମ୍ବାଇ: ଜନୈକ ବ୍ୟକ୍ତିର ତଣ୍ଟି କାଟି ହତ୍ୟା କରିବା ଅପରାଧରେ ଅଭିଯୁକ୍ତ ଥିବା ଜନୈକା ମହିଳାଙ୍କୁ ମୁମ୍ବାଇର ଏକ ସେସନ୍ସ କୋର୍ଟ ଆଜି ଦୋଷମୁକ୍ତ ଘୋଷଣା କରିଛନ୍ତି। ନିଜକୁ ଦୁଷ୍କର୍ମରୁ ବଞ୍ଚାଇବାକୁ ଯାଇ ନିଜର ସୁରକ୍ଷା ପାଇଁ ମହିଳା ଜଣକ ଦୁଷ୍କର୍ମକାରୀକୁ ହତ୍ୟା କରିଥିବାରୁ ଦୃଷ୍ଟିରୁ ଏହାକୁ ଏକ ହତ୍ୟା ଘଟଣା ରୂପେ ବିବେଚନା କରାଯାଇ ପାରିବ ନାହିଁ କୋର୍ଟ ତାଙ୍କ ରାୟରେ କହିଛନ୍ତି। ଏଥିସହ ନିଜର ସୁରକ୍ଷା ପାଇଁ ହତ୍ୟା ଏକ ଅପରାଧ ନୁହେଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପଲେକ୍ସର ଭରତ ନଗର ବସ୍ତି ଅଞ୍ଚଳରେ ବାସ କରୁଥିବା ଜନୈକ ମହିଳା ଗତ ୨୦୦୯ ଅଗଷ୍ଟ ୧୩ ତାରିଖରେ ତାଙ୍କ ଘରେ ଏକୁଟିଆ ଥିବାବେଳେ ଥିବାବେଳେ ଅଭିଯୁକ୍ତ ଦୁଷ୍କର୍ମକାରୀ ତାଙ୍କ ଘର ଭିତରେ ପ୍ରବେଶ କରି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିସାରିବା ପରେ ଦୁଷ୍କର୍ମକାରୀ ସାଙ୍ଗରେ ଆଣିଥିବା ଏକ ଛୁରୀକୁ ସଂପୃକ୍ତା ମହିଳାଙ୍କ ପେଟରେ ଭୁସି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣକ କୌଶଳ କ୍ରମେ ଦୁଷ୍କର୍ମକାରୀ ହାତରୁ ଛୁରୀଟିକୁ ଛଡ଼ାଇ ଆଣି ସେଥିରେ ଦୁଷ୍କର୍ମକାରୀର ବେକକୁ କାଟି ଦେଇଥିଲେ।

ପରେ ମହିଳା ଜଣକ ନିଜେ ଥାନାକୁ ଯାଇ ପୁଲିସ୍‌ ନିକଟରେ ସମସ୍ତ ଘଟଣା ସଂପର୍କରେ ବୟାନ କରିବା ସହ ନିଜ ଦୋଷ ସ୍ୱୀକାର କରିଥିଲେ। ହେଲେ, ମୃତ୍ୟୁ ହୋଇଯାଇଥିବା ଦୁଷ୍କର୍ମକାରୀର ପତ୍ନୀ ପୁଲିସ୍‌ରେ ପାଲଟା ଅଭିଯୋଗ କରି କହିଥିଲେ ଯେ ମହିଳା ଜଣକ ତାଙ୍କ ସ୍ୱାମୀକୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ହତ୍ୟା କରିଛି। ଏହାପରେ ପୁଲିସ୍‌ ସଂପୃକ୍ତ ମହିଳାଙ୍କୁ ଗିରଫ କରିଥିଲା ଏବଂ ମୁମ୍ବାଇ ସେସନ୍ସ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା।

ତେବେ, ଦୀର୍ଘ ଶୁଣାଣି ପରେ ମୁମ୍ବାଇ ସେସନ୍ସ କୋର୍ଟର ବିଚାରପତି ଏସ୍‌ଏମ୍‌ ଭୋସ୍‌ଲେ, ମହିଳାଙ୍କ ମେଡିକାଲ ରିପୋର୍ଟ ସମେତ ଅନ୍ୟାନ୍ୟ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତା ମହିଳାଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି। ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ ଯେହେତୁ ଅଭିଯୁକ୍ତା ମହିଳା ଜଣକ ନିଜକୁ ଦୁଷ୍କର୍ମ ହେବାରୁ ବଞ୍ଚାଇବାକୁ ଯାଇ ଦୁଷ୍କର୍ମକାରୀକୁ ଘଟଣାକ୍ରମରେ ହତ୍ୟା କରିଥିବା ଦୃଷ୍ଟିରୁ ଏହାକୁ ଏକ ହତ୍ୟା ମାମଲା ରୂପେ ବିବେଚନା କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର