ମୁମ୍ବାଇ: ଜୁହୁ ଅଞ୍ଚଳରେ ଅବସ୍ଥିତ ଏକ ପଞ୍ଚତାରକା ହୋଟେଲ୍ରେ ଜଣେ ୩୫ ବର୍ଷୀୟ ଲେଖିକାଙ୍କ ସହିତ ଦୁଷ୍କର୍ମରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ୭୫ ବର୍ଷିୟ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଉକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ନାଁରେ ‘ଆଇପିସି’ର ବିଭିନ୍ନ ଧାରାରେ ମାମଲା ରୁଜୁ କରିବା ସହିତ ଘଟଣା ବିଷୟରେ ଅଧିକ ତଦନ୍ତ ଆରମ୍ଭ କରିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ପୁଲିସଠାରୁ ପ୍ରାପ୍ତ ସୂଚନା ଅନୁସାରେ, ଅଣ୍ଡର୍ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ନାଁ ନେଇ ଅଭିଯୁକ୍ତଜଣକ ଦୁଷ୍କର୍ମ ପୀଡ଼ିତାଙ୍କୁ ଧମକ ଦେଇ କହିଛନ୍ତି ଯେ, ଯଦି ସେ ପୁଲିସରେ ଅଭିଯୋଗ କରନ୍ତି, ସେ ତାଙ୍କୁ ହତ୍ୟା କରିବେ।
କିନ୍ତୁ, ମୁମ୍ବାଇର ଅମ୍ବୋଲି ଥାନାରେ ପୀଡ଼ିତା ମହିଳା ଉକ୍ତ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି। ମହିଳାଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବ୍ୟବସାୟୀଙ୍କ ନାଁରେ ଏତଲା ନ ଦେବା ଲାଗି ଧମକ ଦେଇ ‘ଡି ଗ୍ୟାଙ୍ଗ୍’ରୁ ତାଙ୍କ ପାଖକୁ ଫୋନ୍ କଲ୍ ଆସିଛି।
ମହିଳାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବ୍ୟବସାୟୀ ତାଙ୍କ ଠାରୁ ୨ କୋଟି ଟଙ୍କା କରଜ ନେଇ ଆଉ ଫେରାଇ ନ ଥିଲେ। ଦୁଷ୍କର୍ମ ବିରୋଧରେ କାହାକୁ କିଛି କହିଲେ ତାଙ୍କୁ ମାରି ଦିଆଯିବ ବୋଲି ଅଭିଯୁକ୍ତ ବ୍ୟବସାୟୀ ଓ ଦାଉଦ୍ ଇବ୍ରାହିମ୍ଙ୍କ ସହିତ ସମ୍ପର୍କ ଥିବା ଲୋକମାନେ ତାଙ୍କୁ ସିଧାସଳଖ ଧମକ ଦେଇଛନ୍ତି।
ସମ୍ପ୍ରତି ମାମଲାର ତଦନ୍ତ ଅମ୍ବୋଲି ଥାନାରୁ ‘ଏମ୍ଆଇଡିସି’ ପୁଲିସ ନିକଟକୁ ଯାଇଛି। ‘ଏମ୍ଆଇଡିସି’ ପୁଲିସ ମହିଳାଙ୍କ ଅଭିଯୋଗ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/mumbai-1.jpg)