୧୫୦ ଟଙ୍କା ନ ଫେରେଇବାରୁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ମୁମ୍ବାଇ: ଦକ୍ଷିଣ ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୩ ବର୍ଷିଅ ଯୁବକ ନିଜର ବନ୍ଧୁଠାରୁ ନେଇଥିବା ୧୫୦ ଟଙ୍କା ଫେରାଇବାକୁ ଅସମର୍ଥ ହେବାରୁ ଯୁବକଙ୍କ ବନ୍ଧୁ ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଚୁଲ୍‌ବୁଲ୍‌ ‌ନିଜ ବନ୍ଧୁ ରିୟାଜ୍‌ଙ୍କୁ ମାତ୍ର ୧୫୦ ‌ ଟଙ୍କା ପାଇଁ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ମୃତକଙ୍କ ପୂରା ନାମ ‌ହେଉଛି ରିୟାଜ୍‌ ରଫିକ୍‌ ଶୈଖ୍‌। ପୁଲିସ୍‌ କହିବା ଅନୁସାରେ, ଅଭିଯୁକ୍ତ ଚୁଲ୍‌ବୁଲ୍‌ ଓ ପୀଡ଼ିତ ରିୟାଜ୍‌ ଦୁହେଁ ବନ୍ଧୁ। ଏକ ମାଛ ବଜାରରେ ସେମାନେ ଦିନ ମଜୁରିଆ ଭାବେ କାମ କରି ଆସୁଥିଲେ। ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ‌ ରିୟାଜ୍‌ ଚୁଲ୍‌ବୁଲଙ୍କ‌ଠାରୁ ୧୫୦ ଟଙ୍କା କରଜ ନେଇଥିଲେ। ନେଇଥିବା ଟଙ୍କା ରିୟାଜ୍‌‌ ନ ଫେରାଇବାରୁ ଚୁଲ୍‌ବୁଲ୍‌ ରାଗରେ ଆସି ରିୟାଜ୍‌ଙ୍କ ହତ୍ୟା କରିଥିବା ଜାଣିବାକୁ ମିଳିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳଛି ଯେ ଶୁକ୍ରବାର ନିଜେ ଦେଇଥିବା ଟଙ୍କା ଫେରସ୍ତ କରିବାକୁ କହିବା ପାଇଁ ଚୁଲ୍‌ବୁଲ୍‌ ଯାଇ ରିୟାଜ୍‌ଙ୍କ ପାଖରେ ପହଞ୍ଚିଥିଲେ। ଚୁଲ୍‌ବୁଲ୍‌ ରିୟାଜଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ କଳି ଆରମ୍ଭ ହୋଇଗଲା। ଶନିବାର ଦିନ ଚୁଲ୍‌ବୁଲ୍‌ ପୁଣି ରିୟାଜ୍‌ଙ୍କ ନିକଟକୁ ଯାଇ ଟଙ୍କା ଫେରସ୍ତ ମାଗିଥିଲେ। ଏହି କଥାକୁ ନେଇ ପୁଣି ଉଭୟ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ଆସି ଚୁଲ୍‌ବୁଲ୍‌ ଏକ ପଥର ଧରି ରିୟାଜ୍‌ଙ୍କୁ ଆକ୍ରମଣ କରିବାରୁ ରିୟାଜ୍‌ଙ୍କର ମୃତ୍ୟୁ ଘଟିଥିଲା। ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର