ଯୁବତୀଙ୍କୁ ପଥରରେ ଛେଚି ହତ୍ୟା!

ଖୋର୍ଧା: ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ନିରାକାରପୁର ଥାନା ଅଧୀନ ଚିତ୍ରକୂଟ ପାହାଡ଼ ନିକଟ ମାଙ୍କଡ଼ା ପଥର ଖଣି ସଂଲଗ୍ନ ଏକ ଘଞ୍ଚ ବୁଦାମୂଳରୁ ଜଣେ ଅଚିହ୍ନା ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିରାକାରପୁର ଥାନା ପୁଲିସ ସଂପୃକ୍ତ ଯୁବତୀଙ୍କୁ ଖୋର୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇଯିବାରୁ ଆଜି ଶବ ବ୍ୟବଚ୍ଛେଦ କରାଯାଇପାରିନି। ଅପରପକ୍ଷେ, ପାରିପାର୍ଶ୍ବିକ ସ୍ଥିତିରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀଙ୍କର ଆନୁମାନିକ ବୟସ ୨୦ରୁ ୨୨ ବର୍ଷ ଭିତରେ ହୋଇଥିବା ବେଳେ ସେ ଗାଢ଼ ସବୁଜ ରଙ୍ଗର ପଞ୍ଜାବୀ-ସାଲୁଆର ପୋଷାକ ପିନ୍ଧିଛନ୍ତି। ପାଦରେ ତାଙ୍କର ଦୁଇଟି ନୂଆ ଝୁଣ୍ଟିଆ ରହିଥିବା ବେଳେ ବେକରେ ସେ ଏକ ରୁଦ୍ରାକ୍ଷ ମାଳିରେ ତାବିଜ୍ ପିନ୍ଧିଛନ୍ତି। ତାଙ୍କୁ ଉଦ୍ଧାର କରାଯାଇଥିବା ସ୍ଥଳରେ ଏକ ଓଢ଼ଣୀ ଓ ରକ୍ତଭିଜା ପଥର ପଡ଼ିଥିଲା। ତାଙ୍କ ମୁହଁକୁ ପଥରରେ ଏଭଳି ଛେଚି ଦିଆଯାଇଛି ଯେ ଡାହାଣ ଆଖିକୁ ଛାଡ଼ିଦେଲେ ମୁହଁର ଅନ୍ୟ ସମସ୍ତ ଅଂଶ ବିକୃତ ବିବର୍ଣ୍ଣ ହୋଇଯାଇଛି। ତେଣୁ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ତାଙ୍କୁ ଉଦ୍ଧାର କଲାବେଳେ ସେ ଭୀଷଣ ପୀଡ଼ାରେ କେବଳ କଡ଼ ଲେଉଟାଉଥିବା ବେଳେ କିଛି କହିବାକୁ ସକ୍ଷମ ନଥିଲେ। ଖବର ପାଇ ଖୋର୍ଧା ଏସ୍‌ପି ଦୀପ୍ତିରଞ୍ଜନ ରାୟ, ଟାଙ୍ଗୀ ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ ଏବଂ ଜଙ୍କିଆ ଥାନାଧିକାରୀ କିରଣ ହେମ୍ବ୍ରମ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେହିପରି ଏସ୍‌ପି ଶ୍ରୀ ରାୟଙ୍କ ସମେତ ଏସଡିପିଓ ଯୁଗଳ କିଶୋର ଦାସ ଏବଂ ଖୋର୍ଧା ଟାଉନ ଥାନା ଆଇଆଇସି ରଞ୍ଜିତ କୁମାର ସାହୁ ପ୍ରମୁଖ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ସାଇଣ୍ଟିଫିକ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ଏବଂ ରିପୋର୍ଟ ଆସିଲେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନିରାକାରପୁର ଥାନାଧିକାରିଣୀ କବିତା ସାହୁ କହିଛନ୍ତି।

ସୂଚନା ଥାଉ କି, ତିନିଦିନ ତଳେ ୫୭ ନଂ ଜାତୀୟ ରାଜପଥର ପିଚୁକୁଳି ନିକଟରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ନିରାକାରପୁର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଏଭଳି ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଜିଲ୍ଲାରେ ମହିଳାଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଛି। ଏଥିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଠାବ କରି କଠୋରରୁ କଠୋର ଦଣ୍ଡ ଦେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର