ନିରାକାରପୁର: ନୂଆଗଡ଼ ପଞ୍ଚାୟତ ଅଧୀନ ଉଗ୍ରତାରା ନୋଡାଲ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି (୨୫)ଙ୍କୁ ଆଜି ଅପରାହ୍ଣରେ ଅତି ବୀଭତ୍ସ ଭାବେ ହତ୍ୟା କରଯାଇଛି। କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡ ଓ ମୁହଁକୁ ଏକ ବାଉଁଶରେ ପିଟି ପିଟି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ହେଁ ପ୍ରେମଜନିତ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି।
ଆଜି ସନ୍ଧ୍ୟା ସାଢ଼େ ୫ଟାବେଳେ ବୋଡ଼ଙ୍ଗରା ବେଙ୍ଗଳା ଗହିର ନିକଟରେ ଥିବା ନାଳ ନିକଟରେ ତାଙ୍କ ଶବ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକେ ନିରାକାରପୁର ପୁଲିସକୁ ଖବର ଦେବା ପରେ ଘଟଣା ପ୍ରଘଟ ହୋଇଥିଲା। ଖବର ପାଇ ଖୋର୍ଧା ଏସ୍ପି ଦୀପ୍ତିରଂଜନ ରାୟ, ବାଲୁଗାଁ ଏସ୍ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ଓ ନିରାକାରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଞ୍ଜଳିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ସ୍ଥାନରୁ ଏକ ରକ୍ତଲଗା ବାଉଁଶ, ଏକ ଭ୍ୟାନିଟି ବ୍ୟାଗ୍କୁ ପୁଲିସ ଜବତ କରିଛି। ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ପୁରୀରୁ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଏହି ହତ୍ୟାକାଣ୍ଡ ଉପରେ ସବୁ ଦିଗରୁ ତଦନ୍ତ ଚାଲିଛି। ତେବେ ଦିନେ ୨ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ରାୟ କହିଛନ୍ତି। ଅଞ୍ଜଳି ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତ ନୂଆସାହି ଅଞ୍ଚଳର ପ୍ରଫୁଲ୍ଲ ଦେହୁରିଙ୍କ ଝିଅ। ଏତେ ଦୂରରୁ ସ୍କୁଲ ଯିବା ଆସିବା ପାଇଁ ଅସୁବିଧା ହେବାରୁ କିଛି ବର୍ଷ ହେଲା ସେ ନିରାକାରପୁର ଥାନା ଅଧୀନ ବୋଡ଼ଙ୍ଗରା କବାରି ସାହିର ଜଣେ ସଂପର୍କୀୟଙ୍କ ଘରେ ଭଡ଼ାରେ ରହୁଥିଲେ। ସବୁଦିନ ପରି ଆଜି ମଧ୍ୟ ଅଞ୍ଜଳି ବୋଡ଼ଙ୍ଗରାଠାରୁ ଗହିର ଜମି ମଧ୍ୟ ପାଦଚଲା ରାସ୍ତା ଦେଇ ସ୍କୁଲକୁ ଯାଇଥିଲେ। ଅପରାହ୍ଣ ୪ଟାରେ ସ୍କୁଲ ଛୁଟି ହେବା ପରେ ସେ ଜଣେ ଶିକ୍ଷକଙ୍କ ସହ ବାଇକ୍ରେ ଫେରିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। କିନ୍ତୁ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳକୁ ବୋଡ଼ଙ୍ଗରା ବେଙ୍ଗଳା ନାମକ ଗହିର ଜମି ନିକଟ ନାଳ ନିକଟରୁ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବକୁ କିଛି ଲୋକ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ଖବର ପାଇ ଅଞ୍ଚଳିଙ୍କ ପରିବାର ଲୋକେ ଏବଂ ଆତ୍ମୀୟ ସ୍ୱଜନ ଘଟଣାସ୍ଥଳରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/nirakarpur-1.jpeg.jpg)