ମହିଳାଙ୍କୁ ପିଟିପିଟି ହତ୍ୟା: ସ୍ୱାମୀ ଗିରଫ ଶ୍ୱଶୁର, ଶାଶୂ ଓ ଦେଢ଼ଶୁର ଫେରାର

ଭୁବନେଶ୍ୱର: ସହିଦନଗର ଥାନା ଅଧୀନ ବାଙ୍କୁଆଳ ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏକ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳାଜଣଙ୍କ ହେଲେ ଦୀପିକା ରଣା (୨୫)। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ଅଜିତ ରଣାକୁ ଗିରଫ କରିଛି। ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ୱଶୁର, ଶାଶୂ ଓ ଦେଢ଼ଶୁର ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜି କରି ଅଧିକ ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ରେ ଦୀପିକା ଅଜିତଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦୀପିକାଙ୍କ ବାପା ପ୍ରଦୀପ ରଣା ପୁଅ ଘର ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ। ବିବାହର ଅଢ଼େଇ ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍‌ଠାକ ଚାଲିଥିଲା। ତେବେ ଗତ ୪ ମାସ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କରେ ଫାଟ ଦେଖା ଦେଇଥିଲା। ଟଙ୍କପାଣି ରୋଡ୍‌ ନିକଟରେ ଏକ ଦୋକାନ କରିବା ପାଇଁ ଅଜିତ ଚାହୁଥିଲେ। ଏଥିପାଇଁ ବାପଘରୁ ଟଙ୍କା ଆଣିବା ପାଇଁ ସେ ବାରମ୍ବାର ଦୀପିକାଙ୍କ ଉପରେ ଚାପ ପକାଇ ଆସୁଥିଲେ। ତେବେ ଦୀପିକା ଏଥିପାଇଁ ଆଦୌ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିଲା। ଏହି କାରଣରୁ ଅଜିତ ଓ ତାଙ୍କ ପରିବାରଲୋକେ ମିଳିମିଶି ଦୀପିକାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଏହାକୁ କେନ୍ଦ୍ର କରି ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ଉଭୟଙ୍କର ଝଗଡ଼ା ହୋଇଥିଲା। ଅଜିତ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ଦୀପିକାଙ୍କୁ ଗାଳିଗୁଲଜ କରିଥିଲା। ଏହାର ପ୍ରତିବାଦ କରିବାରୁ ଅଜିତ୍‌ ଉତ୍‌କ୍ଷିପ୍ତ ହୋଇ ଏକ ବହ୍ଲାରେ ତାଙ୍କୁ ପିଟିଥିଲା। ଏଥିରେ ଦୀପିକାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ହାତ, ଗୋଡ଼ ଓ ବେକରେ ଶକ୍ତ ଆଘାତ ଲାଗିଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଯାଇଥିଲେ। ରାତି ପ୍ରାୟ ୨ଟାରେ ଅଜିତ ଦୀପିକାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରିବା ସହ ତାଙ୍କ ବାପା ପ୍ରଦୀପଙ୍କୁ ଫୋନ୍‌ କରି ସେଠାକୁ ଡକାଇଥିଲା। ପ୍ରଦୀପ ପହଞ୍ଚିବା ପୂର୍ବରୁ ଦୀପିକାଙ୍କ ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧିତ ଖବର