ଯୁବକଙ୍କୁ ପୋଡ଼ି ମାରିଦେଲେ

ଚନ୍ଦ୍ରଶେଖରପୁର: ୧୧ ଦିନ ତଳେ ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ ପଡ଼ୋଶୀ। ଦରପୋଡ଼ା ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ୍‌ ଓ ପରେ କଟକ ବଡ଼ ମେଡିକାଲ୍‌ରେ ଭର୍ତି କରାଗଲା। ମାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଗଲା। ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଇନ୍‌ଫୋସିଟି ଥାନା ଅଧୀନ ପ୍ରଶାନ୍ତି ବିହାର ଚିରଗାଲ୍‌ଟୋଲା ବସ୍ତିରେ। ଉକ୍ତ ବସ୍ତିରେ ଭଡ଼ା ଘରେ ରହୁଥିବା ରାଜମିସ୍ତ୍ରି ବଣ୍ଟି ସକ୍‌ସେନାଙ୍କୁ ତାଙ୍କ ପଡ଼ୋଶୀ ସୁବାସ ଦାସ ରାତିରେ କବାଟ ଖୋଲିବାକୁ ଡାକିଥିଲେ। ବଣ୍ଟି କବାଟ ଖୋଲିବା ପରେ ଅଭିଯୁକ୍ତଜଣଙ୍କ ଅତର୍କିତ ଭାବେ କିରାସିନି ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କୁ ପୋଡ଼ି ଦିଆଯାଇଥିବା ନେଇ ବଣ୍ଟିଙ୍କ ବୟାନର ରେକର୍ଡିଂ ଥିଲେ ସୁଦ୍ଧା ଇନ୍‌ଫୋସିଟି ପୁଲିସ୍‌ ଘଟଣାକୁ ଅତ୍ୟନ୍ତ ବେପରୁଆ ଢଙ୍ଗରେ ନେଉଛି ବୋଲି ମୃତକଙ୍କ ପତ୍ନୀ ପ୍ରିୟା ସକ୍‌ସେନା ଅଭିଯୋଗ କରିଛନ୍ତି। ଜଣେ ପୁଲିସ କର୍ମଚାରୀ ଏହି ଘଟଣାରେ ସାମିଲ ଥିବାରୁ ହତ୍ୟା ମାମଲାକୁ ଅପମୃତ୍ୟୁର ଆଖ୍ୟା ଦେଇ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୋଗପତ୍ର ହଜି ଯାଇଛି ବୋଲି ପୁଲିସ ପ୍ରିୟାଙ୍କୁ କହୁଛି।

ମୁଖ୍ୟ ଅଭିଯୁକ୍ତ ଫେରାର୍‌
ଇନ୍‌ଫୋସିଟି ଥାନା ପୁଲିସର ରଫାଦଫା ଉଦ୍ୟମ
ମୃତ୍ୟୁକାଳୀନ ବୟାନକୁ ଅଣଦେଖା କରୁଛି ପୁଲିସ
ଚାରି ପିଲାଙ୍କୁ ସାଙ୍ଗରେ ଧରି ବାରଦୁଆର ହେଉଛନ୍ତି ପତ୍ନୀ

ପୁଲିସବାବୁଙ୍କ ଯୋଗୁ ଅଭିଯୁକ୍ତ ବଳିୟାନ୍‌
ଘଟଣା ଅନୁଯାୟୀ, ଗତ କିଛି ବର୍ଷ ହେବ ଚିରଗାଲ୍‌ଟୋଲା ବସ୍ତିରେ ରହୁଥିବା ଅଣଓଡ଼ିଆ ବଣ୍ଟି ଓ ତାଙ୍କ ପତ୍ନୀ ପ୍ରିୟାଙ୍କ ସହ ପଡ଼ୋଶୀ ସୁବାସ ଓ ପତ୍ନୀ ପୁଷ୍ପାଙ୍କ ଅନେକ ସମୟରେ କଳିଝଗଡ଼ା ହୁଏ। ମାତ୍ର ସେହି ବସ୍ତିରେ ରହୁଥିବା ଜଣେ ପୁଲିସ ବାବୁଙ୍କ ସାହସ ପାଇ ସୁବାସ ବହୁ ସମୟରେ ବଣ୍ଟିଙ୍କୁ ମାର୍‌ପିଟ୍‌ କରୁଥିଲା। କିଛି ଦିନ ପାଇଁ ପ୍ରିୟା ବାପଘରକୁ ଯାଇଥିଲେ। ଏହାର ସୁଯୋଗରେ ଗତ ୧୧ ତାରିଖରେ ପୁଲିସ ବାବୁ ଓ ସୁବାସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକାଠି ମଦ ପିଇ ବଣ୍ଟି ଘରକୁ ଯାଇ ତା’କୁ ଡାକିଥିଲେ। ପୁଲିସ୍‌ ବାବୁଜଣଙ୍କ ସେଠାରୁ ଚାଲିଯିବା ପରେ ସୁବାସ କିରାସିନି ଢାଳି ବଣ୍ଟିଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ବଣ୍ଟିକୁ ବଞ୍ଚାଇବା ପାଇଁ କେହି ମଧ୍ୟ ଆଗକୁ ଆସି ନଥିଲେ। ବସ୍ତିବାସିନ୍ଦା ପିସିଆର୍‌କୁ ଖବର ଦେବାରୁ ପୁଲିସ୍‌ ବଣ୍ଟିଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇ ଯାଇଥିଲେ। ଖବର ପାଇ ପ୍ରିୟା ପରଦିନ ବାପଘରୁ ସିଧା ଡାକ୍ତରାଖାନାରେ ପହଞ୍ଚିଥିଲେ। ଏହି ଘଟଣା ବିଷୟରେ ସ୍ୱାମୀଙ୍କୁ ପଚାରିବାରୁ ସୁବାସ ତାଙ୍କୁ ପୋଡ଼ି ଦେଇଥିବା ବଣ୍ଟି କହିଥିଲେ। ଏହି ବୟାନର ଭିଡିଓ ରେକର୍ଡିଂ କରି ପ୍ରିୟା ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ମାତ୍ର ମୃତ୍ୟୁକାଳୀନ ବୟାନକୁ ମଧ୍ୟ ପୁଲିସ୍‌ ଖାତିର୍‌ କରୁନାହିଁ। ଅପରପକ୍ଷେ ଅଭିଯୁକ୍ତ ସୁବାସ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ଘଣ୍ଟ ଘୋଡ଼ାଉଛନ୍ତି ଇନ୍‌ଫୋସିଟି ଥାନା ଅଧିକାରିଣୀ
ଏହି ଘଟଣାରେ ଆରମ୍ଭରୁ ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ କରିଥିବା ଇନଫୋସିଟି ଥାନା ସଂପୃକ୍ତ ପୁଲିସ୍‌ ବାବୁଙ୍କୁ ଘଣ୍ଟ ଘୋଡ଼ାଉଛି। ଘଟଣାର ତଦନ୍ତ ଚାଲିଛି ଓ ଅଭିଯୁକ୍ତକୁ ଖୋଜା ହେଉଛି ବୋଲି ସୂଚନା ଦେଇଛନ୍ତି ଇନଫୋସିଟି ଥାନା ଆଇଆଇସି ବନିତା ମହାରଣା। ଏହି ଗୋଟିଏ ବାକ୍ୟରେ ସେ ନିଜ ଦାୟିତ୍ୱ ଖସାଇ ଦେଇଛନ୍ତି। ପୁଲିସ୍‌ ବାବୁ କିମ୍ବା ବସ୍ତିରେ ଥିବା ଅଭିଯୁକ୍ତ ସୁବାସର ପରିବାର ସଦସ୍ୟଙ୍କୁ ଥରୁଟିଏ ମଧ୍ୟ ପଚରାଉଚରା କରିନାହାନ୍ତି।

ବାପ ଛେଉଣ୍ଡ ହୋଇଗଲେ ମୋ ପିଲା
ମୁଁ ଏବେ କ’ଣ କରିବି? ମୋ ଚାରି ପିଲା ଏବେ ବାପଛେଉଣ୍ଡ ହୋଇଗଲେ। କେମିତି ବଞ୍ଚିବେ ମୋ ପିଲା? ଏମିତି କହି କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଥିଲେ ପ୍ରିୟା। ଆଖି ଆଗରେ ସ୍ୱାମୀଙ୍କ ମରଣକୁ ଦେଖି ସେ ପୂରା ଭାଙ୍ଗି ପଡ଼ିଛନ୍ତି। ଅସହାୟ ୪ ଛୋଟ ପିଲାଙ୍କୁ ଧରି କେବେ ଥାନା ତ’ କେବେ ବସ୍ତି ମୁରବି ଓ ଘର ମାଲିକଙ୍କ ଦୁଆରକୁ ନ୍ୟାୟ ପାଇବା ଆଶାରେ ଦୌଡ଼ୁଛନ୍ତି। ମାତ୍ର ପୁଲିସର ବେପରୁଆ ମନୋଭାବ ଯୋଗୁଁ ପ୍ରିୟା ଯେ ନ୍ୟାୟ ପାଇବେ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ।

ସମ୍ବନ୍ଧିତ ଖବର