ଘୋଡ଼ା ରଖି ଚଢ଼ୁଥିଲେ ବୋଲି ଦଳିତ ଯୁବକଙ୍କୁ ହତ୍ୟା

ଗାନ୍ଧୀନଗର: ଗୁଜରାଟର ଭାବନଗର ଜିଲ୍ଲା ଅନ୍ତର୍ଗତ ଉମ୍ରାଲା ତହସିଲ୍‌ ଅଞ୍ଚଳରେ ଘରେ ଘୋଡ଼ା ରଖି ଚଢ଼ୁଥିବା ଜଣେ ଦଳିତ ଯୁବକଙ୍କୁ ଈର୍ଷାନ୍ଵିତ ହୋଇ କିଛି ଉଚ୍ଚ ବର୍ଗର ଯୁବକ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନାନୁଯାୟୀ, ଉମ୍ରାଲା ତହସିଲ୍‌ ଅଧୀନ ତିମ୍ବି ଗାଁର ଦଳିତ ସମ୍ପ୍ରଦାୟର ପ୍ରଦୀପ ରାଠୋର(୨୧) ଦୁଇ ମାସ ତଳେ ଏକ ଘୋଡ଼ା ଆଣି ଘରେ ରଖିଥିଲେ। ସେ ପ୍ରତ୍ୟହ ସକାଳେ ଉକ୍ତ ଘୋଡ଼ା ଚଢ଼ି ବିଲବାଡ଼ିକୁ ବୁଲି ଯାଉଥିବା ବେଳେ ଗ୍ରାମର କିଛି ଉଚ୍ଚ ବର୍ଗର ଲୋକ ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ କହିଥିଲେ। ଗୁରୁବାର ଘୋଡ଼ା ଚଢ଼ି ବାହାରକୁ ଯାଇଥିବା ପ୍ରଦୀପ ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ପରିବାର ଲୋକେ ପତ୍ତା ଲଗାଇଥିଲେ। ସେମାନେ ଖୋଜୁ ଖୋଜୁ ଦେଖିଲା ବେଳକୁ ନିଜ ଜମି ନିକଟ ରାସ୍ତାରେ ପ୍ରଦୀପଙ୍କ ମୃତଦେହ ଗଡୁଥିବା ବେଳେ କିିଛି ଦୂରରେ ଘୋଡ଼ାଟିର ଶବ ମଧ୍ୟ ପଡ଼ିଥିଲା। ପ୍ରଦୀପଙ୍କୁ ଘୋଡ଼ା ଚଢ଼ିବାକୁ ବାରଣ କରିଥିବା ଗ୍ରାମର ଅନ୍ୟ ଉଚ୍ଚ ଜାତିର ଯୁବକମାନେ ହିଁ ଏପରି ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ ଆଣିିଛନ୍ତି।

ସମ୍ବନ୍ଧିତ ଖବର