ଡାକି ଆଣି ଯୁବକଙ୍କୁ ମାରିଦେଲେ!

ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର, ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ସକାଳୁ ନୀଳାଦ୍ରିବିହାର ହାଉସିଂବୋର୍ଡ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି। ମୃତ ଯୁବକ ଜଣକ ହେଲେ ଧନେଶ୍ୱର ଦାଶ। ଏଠାରେ ସେ ତାଙ୍କ ପରିବାର ସହିତ ରହୁଥିଲେ। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି କୁହାଗଲା। ତେବେ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା। ଧନେଶ୍ୱରଙ୍କୁ ହତ୍ୟା କରାଯାଇ ରାସ୍ତାରେ ଫିଙ୍ଗି ଦିଆ ଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଅପରାହ୍‌ଣରେ ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ଲେଶକେ ଯୁବକଙ୍କ ମୃତଦେହକୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଉପରେ ରଖି ଘଟଣାର ତଦନ୍ତ ଦାବି କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ରାସ୍ତାରୋକ ଫଳରେ ଉଭୟ ପଟୁ ଗାଡ଼ିମଟର ଜାମ୍‌ ହୋଇ ଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ବୋତଲ ଫିଙ୍ଗିଥିବାବେଳେ ରାସ୍ତାରୋକ ହଟାଇବା ଲାଗି ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ପୁଲିସ ଠିକ୍‌ ଢଙ୍ଗରେ ତଦନ୍ତ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ମୃତ ଧନେଶ୍ୱରଙ୍କ ବାପା ନିତ୍ୟାନନ୍ଦ ଦାଶଙ୍କ କହିବା ଅନୁଯାୟୀ ପୁଅ ଗତକାଲି ରାତିରେ ତାଙ୍କର ଜଣେ ପରିଚିତ ଭାଇଙ୍କ ଟେଣ୍ଟ୍‌ ହାଉସ୍‌ରେ ଶୋଇଥିଲା। ରାତିରେ କିଛି ଯୁବକ ତାକୁ ଦୋକାନ ବାହାରକୁ ଡାକିଆଣି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯିବାରୁ ସେମାନେ ନିକଟସ୍ଥ ଜିମ୍‌ ଛକ ରାସ୍ତା କଡ଼ରେ ଧନେଶ୍ୱରଙ୍କ ମୃତଦେହକୁ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକ ଧନେଶ୍ୱରଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖି ପ୍ରଥମେ ତା’ଙ୍କ ପରିବାର ଲୋକ ଓ ପରେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପଠାଇବା ସହ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଦର୍ଶାଇଥିଲା।

ତେବେ ପରିବାର ଲୋକ ଅଭିଯୋଗ କରିଥିଲେ ତା’ଙ୍କ ପୁଅକୁ ଦୁର୍ବୃତ୍ତମାନେ ଦୋକାନ ଭିତରୁ ଟେକି ନେଇ ମାଡ଼ ମାରି ହତ୍ୟା କରିଛନ୍ତି। ତେଣୁ ଶବ ବ୍ୟବଚ୍ଛେଦ ପରେ ଧନେଶ୍ୱରଙ୍କ କଲୋନି ବାସିନ୍ଦା ଓ କିଛି ସ୍ଥାନୀୟ ଯୁବକ ଏକାଠି ହୋଇଥିଲେ ଏବଂ ଧନେଶ୍ୱରଙ୍କ ଶବ ରଖି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟ ନନ୍ଦନକାନନ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ ପରେ ଏହି ଧାରଣାରେ ସାମିଲ ହୋଇଥିଲେ କିଛି ରାଜନୈତିକ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଏକ ଜିମ୍‌ର କିଛି ଯୁବକ। ସେମାନେ ଘଟଣାସ୍ଥଳକୁ ଚାଲି ଆସି ପୁଲିସ ବିରୋଧରେ ସ୍ଳୋଗାନ୍‌ ଦେଇଥିଲେ। ଏମିତି ପ୍ରାୟ ୪ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହିଥିଲା। ଫଳରେ ଘଟଣାସ୍ଥଳରୁ ରଘୁନାଥପୁର ଓ ନାଲକୋ ଛକ ପର୍ଯ୍ୟନ୍ତ ଗାଡ଼ି ପଛକୁ ପଛ ଜାମ୍‌ ହୋଇଯାଇଥିଲା। ପୁଲିସ ଯାନବାହାନ ନିୟନ୍ତ୍ରଣ କରିବାକୁ ଯାଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। କିଛି ଲୋକ ପୁଲିସ୍‌ ଉପରକୁ ବୋତଲ ମାଡ଼ କରିବା ଫଳରେ ପୁଲିସ୍‌ ଭିଡ଼ ଭାଙ୍ଗିବା ପାଇଁ ମୃଦୁ ଲାଠି ଚାଳନା କରିଥିଲା। ଶେଷରେ ଏବେ ପ୍ରାୟ ରାତି ୮ଟା ପରେ ରାସ୍ତାରୋକ ହଟି ପରିସ୍ଥିତି ଆୟତ୍ତ ହୋଇଥିଲା। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁର ଥାନା ଇନ୍ସପେକ୍ଟର ଦୀପକ ମିଶ୍ରଙ୍କ କହିବା ଅନୁଯାୟୀ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥାଇପାରେ। ତେବେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି।

ଶବ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ପୁଲିସକୁ ବୋତଲ ମାଡ଼, ପୁଲିସର ମୃଦୁ ଲାଠି ଚାଳନା

ସନ୍ଦେହରେ ଅସାମାଜିକ ଯୁବକ

ଧନେଶ୍ୱରଙ୍କ ମୃତ୍ୟୁକୁ ନେଇ ଏବେ ପୁଲିସ ଚିନ୍ତାରେ ପଡ଼ିଛି। ତେବେ ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ ଟ୍ରାକିଂରୁ ପୁଲିସ୍‌କୁ କିଛି ସୁରାକ ମିଳିଛି। ଏହା ପ୍ରକୃତରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ନା ହତ୍ୟାକାଣ୍ଡ ଏହା ତଦନ୍ତ ପରେ ଜଣାପଡ଼ିବ। ପୁଲିସ କହିବା ଅନୁଯାୟୀ ଏହି ଘଟଣା ଯଦି ହତ୍ୟାକାଣ୍ଡ ହୋଇଥାଏ ତେବେ ଧନେଶ୍ୱରର କିଛି ଅସାମାଜିକ ଯୁବକଙ୍କ ସହ ଶତ୍ରୁତା ରହିଥିବା ନିଶ୍ଚିତ। ଯାହାକୁ ନେଇ ଏବେ ପୁଲିସ ଧନେଶ୍ୱରର କିଛି ସାଙ୍ଗ ଓ ଅସାମାଜିକ ଯୁବକଙ୍କ ଚିଠା ତିଆରି କରିଛି। ଆଜି ଘଟଣାସ୍ଥଳରେ ଡିସିପି ସତ୍ୟବ୍ରତ ଭୋଇ ପହଞ୍ଚିବା ପରେ ପରିବାର ଲୋକ ତାଙ୍କୁ ମଧ୍ୟ ସମାନ ଅଭିଯୋଗ କରିଥିଲେ। ୩୦୨ ଦଫା ଲାଗିଥିବାରୁ ପୁଲିସ୍‌ ଏହି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର