ଯୁବକଙ୍କୁ ହତ୍ୟା କରି ପୋଡ଼ିଦେଲେ

ନଦୀପଠାରୁ ମିଳିଲା ଅଧାପୋଡ଼ା ମୃତଦେହ, ମୃତଦେହ ନିକଟରେ ଲାପଟପ୍‌ ଓ ଲେଡିଜ୍‌ ଚପଲ୍‌

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା କୁଆଖାଇ ନଦୀପଠାରୁ ଜଣେ ଯୁବକଙ୍କ ଅଧାପୋଡ଼ା ମୃତଦେହକୁ ଆଜି ପୁଲିସ ଜବତ କରିଛି। ଯୁବକଙ୍କ ଦେହରେ ଏକ ଛୁରି ଭୁଷା ହୋଇଥିବାବେଳେ ମୃତଦେହ ନିକଟରୁ ପୁଲିସ ଏକ ଲାପଟପ, ଅଧାପୋଡ଼ା ପେନ୍‌ଡ୍ରାଇଭ ଓ ଜଣେ ଯୁବତୀଙ୍କ ଚପଲ ଜବତ କରିଛି। ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳି ନ ଥିବାବେଳେ ଦୁର୍ବୃତ୍ତମାନେ ସଂପୃକ୍ତ ଯୁବକଙ୍କୁ ହତ୍ୟା କଲାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହକୁ ଜଳାଇଦେବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଉଛି। ତେଣୁ ପୁଲିସ ଅଧାପୋଡ଼ା ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଆଜି ଅପରାହ୍ନ ସମୟରେ ନଦୀପଠାରେ ଏକ ଅଧାପୋଡ଼ା ମୃତଦେହ ପଡ଼ିଥିବା ନେଇ କିଛି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ତେଣୁ ସାଇଣ୍ଟିଫିକ ଟିମ୍‌ ସହ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ଯୁବକ ଜଣକ ଏକ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ବୟସ ୩୦ ରୁ ୩୫ ଭିତରେ ହେବ ବୋଲି ପୁଲିସ ଅନୁମାନ କରୁଛି। ଯୁବକଙ୍କ ପେଟରେ ଛୁରି ଭୁଷା ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ଏହି ଘଟଣାରେ ଏକାଧିକ ଲୋକଙ୍କ ହାତ ଥିବା ପୁଲିସ ଅନୁମାନ କରୁଛି।

ଉଲ୍ଲେଖଯୋଗ୍ୟ ଯେ ଏଭଳି ଘଟଣା ରାଜଧାନୀ ପାଇଁ ନୁହେଁ। ଗତବର୍ଷ ଫେବ୍ରୁଆରି ମାସରେ ଜଣେ ଯୁବତୀଙ୍କୁ ହତ୍ୟା କଲା ପରେ କେହି କଫିନ୍‌ ବାକ୍ସରେ ନଦୀପଠାରେ ପୂରାଇ ଫିଙ୍ଗି ଦେଇଥିଲା। ଏହି ଘଟଣା ଉପରୁ ଏବେ ବି ପରଦା ଉଠି ପାରିନାହିଁ। ସେହପରି କୁଆଖାଇ ନଦୀପଠାରେ ଜଣେ ମାଛ ଧରାଳିଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିଲା। ଏହି ହତ୍ୟାକାଣ୍ଡରେ ମଧ୍ୟ ପୁଲିସ ହତ୍ୟାକାରୀକୁ ଖୋଜି ପାଇ ନ ଥିଲା।

ସମ୍ବନ୍ଧିତ ଖବର