ଲଜ୍‌ରେ ଗଳାକାଟି ହତ୍ୟା ମାମଲା, ଧରାପଡ଼ିଲା ଅଭିଯୁକ୍ତ

ଭୁବନେଶ୍ୱର : ସୁକାନ୍ତି ଡର୍ମିଟୋରିରେ ଟି.ଭି ରାଓଙ୍କୁ ଗଳାକାଟି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସେ ଉତ୍ତରପ୍ରଦେଶର ଅଜୟ ପାଣ୍ଡେ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ରେଳବାଇ ପୁଲିସ ତାକୁ ଧରିବା ପରେ କମିସନରେଟ୍‌ ପୁଲିସ ଜିମା ଦେଇଥିବା ସୂଚନା ମିଳିଛି। ପଚରା ଉଚରାରେ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ହୋଇଥଲେ ମଧ୍ୟ ତାକୁ ଗିରଫ କରାଯାଇ ନାହିଁ। ଆସନ୍ତାକାଲି ଗିରଫ କରିବା ପରେ ପୁଲିସ ଗଣମାଧ୍ୟମକୁ ସୂଚନା ଦେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମୃତକ ଶ୍ରୀ ରାଓଙ୍କ ଘର ଜଟଣୀ ଥାନା ଅଧୀନ ମାଣିଆ ଛକରେ। ସେ ରେଳବାଇର ଜଣେ କର୍ମଚାରୀ ଥିଲେ। ଅବସର ପରେ ସେ ରେଳବାଇରେ ଠିକାଦାର ଭାବେ କାମ କରୁଥିଲେ। ଗତ ନଭେମ୍ବର ୧୯ ତାରିଖରେ ଅଜୟ ଓ ଟିଭି ରାଓ ରେଳଷ୍ଟେସନ ନିକଟରେ ଥିବା ସୁକାନ୍ତି ଡର୍ମିଟୋରିରେ କିଛି ସମୟ ବିତାଇ ଚାଲି ଯିବେ ବୋଲି କହି ରହିଥିଲେ। ଅଜୟ ନିଜକୁ ଶ୍ରୀ ରାଓଙ୍କ ପୁଅ ବୋଲି ମଧ୍ୟ ପରିଚୟ ଦେଇଥିଲା। ଦ୍ବିତୀୟ ମହଲାରେ ଥିବା ରୁମରେ ରହିବାର କିଛି ସମୟ ପରେ ସେ ସାବୁନ୍‌ ପାଇଁ ଯାଉଥିବା କହି ଚାଲି ଯାଇଥିଲା। ହେଲେ ଫେରିନଥିଲା। ସନ୍ଦେହ ହେବାରୁ ଲଜ୍‌ କମର୍ଚାରୀ ରୁମ୍‌କୁ ଯାଇଥିଲେ। ସେଠାରେ ଟିଭି ରାଓଙ୍କ ମୃତଦେହ ପଡ଼ିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରି ସ୍କେଚ୍‌ ଜାରି କରିଥିଲା। ସ୍କେଚ୍‌ ଆଧାରରେ ରେଳବାଇ ପୁଲିସ ଅଜୟକୁ ଧରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର