କାଠ ମିସ୍ତ୍ରିଙ୍କ ଗଳା କାଟି ନିର୍ମମ ହତ୍ୟା

ରାଜଧାନୀର ଏମ୍‌ଏଲ୍‌ଏ କଲୋନିରେ ଚାଞ୍ଚଲ୍ୟ

ଭୁବନେଶ୍ୱର: ଭିଭିଆଇପି ଅଞ୍ଚଳ କୁହାଯାଉଥିବା ୟୁନିଟ୍‌-୪ ସ୍ଥିତ ଏମ୍‌ଏଲ୍‌ଏ କଲୋନି ଅଞ୍ଚଳରେ ରହୁଥିବା ଜଣେ କାଠ ମିସ୍ତ୍ରିଙ୍କୁ କେହି ନିର୍ମମ ଭାବେ ଗଳା କାଟି ହତ୍ୟା କରିବା ଘଟଣା ଆଜି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ କାଠ ମିସ୍ତ୍ରିଙ୍କ ନାଁ ଗୋପୀନାଥ ମହାରଣା(୫୦)। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୋପୀନାଥଙ୍କ ମୃତଦେହ ଓ ହତ୍ୟାକାଣ୍ଡରେ ବ୍ୟବହୃତ ବଟାଳିକୁ ଜବତ କରିଥିଲେ ମଧ୍ୟ ହତ୍ୟାକାଣ୍ଡର ରହସ୍ୟ ଭେଦ କରି ପାରିନାହିଁ କି ହତ୍ୟାକାରୀର ପତ୍ତା ଲଗାଇ ପାରିନାହିଁ। ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ବିଭିନ୍ନ ନମୁନା ସଂଗ୍ରହ କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଏ ନେଇ ଖାରବେଳନଗର ଥାନା ପୁଲିସ କେସ୍‌ ନଂ-୬୦ରେ ଆଇପିସି ଧାରା ୩୦୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ତେବେ ରାଜଧାନୀର ସବୁଠୁ ଚଳଚଞ୍ଚଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସକାଳୁ ସକାଳୁ ଏଭଳି ଏକ ହତ୍ୟାକାଣ୍ଡ ହେବା ପରେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ସୂଚନା ମୁତାବକ, ମୃତ ଗୋପୀନାଥଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଖମାରିଆ ଅଞ୍ଚଳରେ। ଦୀର୍ଘ ୩୦ ବର୍ଷ ହେବ ଗୋପୀନାଥ ୟୁନିଟ୍‌-୪ ପ୍ଲଟ୍‌ ନଂ-ଏ/୧୯ରେ ବଡ଼ଭାଇ ଭାଗୀରଥି ମହାରଣାଙ୍କ ସହ ରହି କାଠ ମିସ୍ତ୍ରି କାମ କରୁଥିଲେ। ଶନିବାର ସକାଳେ ଦୁଇଭାଇ ଗୋପୀନାଥ ଓ ଭାଗୀରଥି କାମକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପ୍ରଥମେ ଭାଗୀରଥି କାମକୁ ବାହାରି ଯାଇଥିଲେ। ଆଉ ଗୋପୀନାଥ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଦୋକାନରୁ ଚା’ ପିଇବା ପରେ ପାଖାପାଖି ୮ଟା ସମୟରେ ଘରକୁ ଫେରିଥିଲେ।

ଏହାପରେ ସାଙ୍ଗ ହୋଇ କାମକୁ ଯିବା ପାଇଁ ସାଲିଆସାହିରେ ରହୁଥିବା ସନାତନ ମହାରଣାଙ୍କୁ ଘରକୁ ଡାକିଥିଲେ। ହେଲେ ସନାତନ ଗୋପୀନାଥଙ୍କ ଘରେ ପହଞ୍ଚିବା ପୂର୍ବରୁ ସବୁ ଓଲଟପାଲଟ ହୋଇ ଯାଇଥିଲା। ସନାତନ ଆସି ଦେଖିଲା ବେଳକୁ ଗୋପୀନାଥ ତାଙ୍କ ଘରର ଖଟ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥାନ୍ତି। ପ୍ୟାଣ୍ଟସାର୍ଟ ପିନ୍ଧି ମୁହଁ ଉପରକୁ କରି ପଡ଼ି ରହିଥିବା ଗୋପୀନାଥଙ୍କ ବେକରୁ ରକ୍ତ ବାହାରି ଘର ସାରା ଖେଳିଯାଇଥାଏ। ଆଉ କିଛି ଦୂରରେ ରକ୍ତ ଲଗା ବଟାଳିଟି ପଡ଼ିଥାଏ। ତେବେ ଘରେ ଥିବା ଏଫ୍‌ଏମ୍‌ ରେଡିଓ ଜୋର୍‌ରେ ବାଜୁଥାଏ।

ହତ୍ୟାକାଣ୍ଡରେ ବ୍ୟବହୃତ ବଟାଳି ଜବତ
ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ ଯାଞ୍ଚ କରୁଛି ପୁଲିସ

ଗୋପୀନାଥଙ୍କୁ ଏଭଳି ଅବସ୍ଥାରେ ଦେଖି ସନାତନ ଘରୁ ଦୌଡ଼ି ବାହାରକୁ ଚାଲିଆସି ଚିତ୍କାର କରିଥିଲେ। ସନାତନଙ୍କ ପାଟି ଶୁଣି ଘରମାଲିକ ଓ ସ୍ଥାନୀୟଲୋକ ସେଠାକୁ ଧାଇଁ ଆସିଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଫୋନ୍‌ କରିବା ସହ ଗୋପୀନାଥଙ୍କ ବଡ଼ ଭାଇ ଭାଗୀରଥିଙ୍କୁ ମଧ୍ୟ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ଡିସିପି ସତ୍ୟବ୍ରତ ଭୋଇ ଓ ଖାରବେଳନଗର ଥାନା ଅଧିକାରୀ ଏସିପି ଅନୁପ କାନୁନଗୋ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ହତ୍ୟା ଖବର ପ୍ରଚାରିତ ହୋଇଯିବାରୁ ଅଳ୍ପ ସମୟ ମଧ୍ୟରେ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇ ଯାଇଥିଲେ ଏବଂ ଦିନବେଳେ ଏମ୍‌ଏଲ୍‌ଏ କଲୋନିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଥିବାରୁ ଲୋକେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ପୁଲିସ ଗୋପୀନାଥଙ୍କ ପରିବାର ଓ ଶାସ୍ତ୍ରୀନଗରରେ ରହୁଥିବା ତାଙ୍କ ପୁଅ ବଳାରାମଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା। ଗୋପୀନାଥଙ୍କ ବଡ଼ଭାଇ ଭାଗୀରଥି ଓ ପୁଅ ବଳରାମ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଗୋପୀନାଥଙ୍କୁ ହତ୍ୟା କରାଯାଇଥିବା ନେଇ ବଡ଼ଭାଇ ଭାଗୀରଥି ଅଭିଯୋଗ ପରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଥିବା ସିସିସଟିଭି ଫୁଟେଜ୍‌ ଓ ଗୋପୀନାଥଙ୍କ ମୋବାଇଲ୍‌ ଯାଞ୍ଚ କରୁଛି। ଗୋପୀନାଥଙ୍କ ଫୋନ୍‌ରୁ କେଉଁ ନମ୍ବରକୁ କଲ୍‌ ଯାଇଛି ଏବଂ କେଉଁ ନମ୍ବରରୁ ଗୋପୀନାଥଙ୍କୁ କଲ୍‌ ଆସିଛି ସେବୁକୁ ପୁଲିସ ଯାଞ୍ଚ କରୁଛି। ସେହିପରି ଗୋପୀନାଥଙ୍କ ଘରକୁ କେଉଁମାନେ ଆସିଥିଲେ ସେ ନେଇ ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର କାରଣ ସଂପର୍କିତ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର