ଢାବାରେ ମର୍ଡର୍‌

ଦିଗପହଣ୍ଡି: ଆଜି ସନ୍ଧ୍ୟାରେ ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟ ସୁଇଟ୍‌ ଲାଇଟ୍‌ ଢାବା ରକ୍ତରଞ୍ଜିତ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଢାବା ଭିତରେ ବସି ଖାଉଥିବା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ଖାରିଆଗୁଡ଼ାର କୁରେଶୁ ଗୌଡ଼(୩୫)ଙ୍କୁ ୮ଜଣ ଦୁର୍ବୃତ୍ତ ଖଣ୍ଡା, କାତି ଓ ମାରଣାସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଢାବାର ସପ୍ଲାୟର୍‌ ସୁରେଶ ଶତପଥୀ ମଧ୍ୟ ଆହତ ହୋଇଛନ୍ତି। ଢାବା ନିକଟରେ ଦୁର୍ବୃତ୍ତମାନେ ଛାଡ଼ି ପଳାଇଥିବା ବାଇକ୍‌, ଜୋତା ଓ ସୁନାମୁଦିକୁ ପୁଲିସ ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଖାରିଆଗୁଡ଼ାର କୁରେଶୁ ଦିଗପହଣ୍ଡିରେ ଶ୍ୱଶୁର ଘରେ ଆସି ବେଳେ ବେଳେ ରହୁଥିଲେ। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କୁରେଶୁ ବାଇକ୍‌ରେ ତାଙ୍କ ଦୁଇ ସାଙ୍ଗଙ୍କ ସହ ପୁଞ୍ଜିକୟାଁ ଛକ ନିକଟ ସୁଇଟ୍‌ ଲାଇଟ୍‌ ଢାବାକୁ ଖାଇବା ପାଇଁ ଯାଇଥିଲେ। କୁରେଶୁ ଢାବାର ଏସି କ୍ୟାବିନ୍‌ରେ ବସିଥିବା ବେଳେ ୪ରୁ ୫ଟି ବାଇକ୍‌ରେ ପ୍ରାୟ ୮ଜଣ ଯୁବକ ଆସି ଢାବାରେ ପାଟିତୁଣ୍ଡ କରିବା ସହ କୁରେଶୁଙ୍କ ପାଖରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ କଳାମୁଖା ପିନ୍ଧିଥିଲେ। ଏ ସମୟରେ କୁରେଶୁଙ୍କ ଦୁଇ ସାଙ୍ଗ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ। ଦୁର୍ବୃତ୍ତମାନେ ଲୁହାଛଡ଼, କାତି ଓ ଖଣ୍ଡାରେ କୁରେଶୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମୁଣ୍ଡକୁ ବାରମ୍ବାର ଚୋଟ ପକାଇବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କିଛି କ୍ଷଣ ଛଟପଟ ହୋଇ ଘଟଣାସ୍ଥଳରେ ହିଁ କୁରେଶୁ ଟଳି ପଡ଼ିଥିଲେ। ଏ ସମୟରେ ସପ୍ଲାୟର୍‌ ସୁରେଶ ଦୁର୍ବୃତ୍ତଙ୍କ ସାମ୍ନାରେ ପଡ଼ିଯିବାରୁ ସେ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ। ଦୁର୍ବୃତ୍ତମାନେ କିଛି ବାଇକ୍‌ ଛାଡ଼ି ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ସଂଗେ ସଂଗେ ଘଟଣାସ୍ଥଳରେ ଦିଗପହଣ୍ଡି ଥାନାଧିକାରୀ ଦେବାଶିଷ ମହାନ୍ତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିବା ବେଳେ ଅପରାଧୀଙ୍କୁ ଧରିବାକୁ ଦିଗପହଣ୍ଡିର ବିଭିନ୍ନ ପ୍ରସ୍ଥାନ ପଥରେ ବ୍ଲକିଂ କରାଯାଇଛି।

 

ସମ୍ବନ୍ଧିତ ଖବର