କାଠ ଫାଳିଆରେ ପିଟି ସାନ ଭାଇକୁ ହତ୍ୟା, ବଡ଼ ଗିରଫ

ଖଇର ବ୍ୟବସାୟରୁ ହତ୍ୟାକାଣ୍ଡ

ଭୁବନେଶ୍ୱର: ବଡ଼ ଭାଇର କାଠଫାଳିଆ ମାଡ଼ରେ ସାନଭାଇର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ପ୍ରାଚୀବିହାର ଅଞ୍ଚଳରେ। ମୃତ ଯୁବକଜଣକ ହେଲେ, ଧୀରେନ୍ଦ୍ର କୁମାର ପରିଡ଼ା (୪୪)। ପୁଲିସ ଅଭିଯୁକ୍ତ ବଡ଼ ଭାଇ ଦୁର୍ଗାଚରଣ ପରିଡ଼ାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କାଠ ଫାଳିଆକୁ ପୁଲିସ ଜବତ କରିଛି।

ସୂଚନା ମୁତାବକ, ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଧୀରେନ୍ଦ୍ର, ଦୁର୍ଗା ଓ ବୀରକିଶୋର ତିନି ଭାଇ ଯାଜପୁର ମଙ୍ଗଳପୁରରୁ ଆସି ଏଠାରେ ପରିବାର ସହ ରହୁଥିଲେ। ସେମାନେ ଖଇର ବ୍ୟବସାୟ କରୁଥିଲେ। ଦୁର୍ଗା ବିବାହ କରି ନଥିବାରୁ ମାନସିକ ଚାପରେ ରହୁଥିଲେ। ତେବେ ସବୁଦିନ ପରି ଆଜି ଦିନ ପ୍ରାୟ ୧୦ଟା ବେଳକୁ ଧୀରେନ୍ଦ୍ର ଓ ଦୁର୍ଗା ଦୁଇ ଭାଇ ଖଇର ଗୁଣ୍ଡ ପାଇଁ ଡିପୋ ରୁମ୍‌କୁ ଯାଇଥିଲେ। ଖଇର ଗୁଣ୍ଡ କରୁଥିବା ସମୟରେ କୌଣସି କାରଣକୁ ନେଇ ଦୁର୍ଗା ଓ ଧୀରେନ୍ଦ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ଗା ଖଇର ଗୁଣ୍ଡ କରୁଥିବା କାଠ ଫାଳିଆରେ ଅଚାନକ ଧୀରେନ୍ଦ୍ରଙ୍କ କପାଳକୁ ପାହାରେ ପକାଇଥିଲା। ଧୀରେନ୍ଦ୍ର କିଛି ବୁଝିବା ପୂର୍ବରୁ ଦୁର୍ଗା ରାଗରେ ଗୋଟିଏ ପରେ ଗୋଟିଏ ପାହାର ମୁଣ୍ଡକୁ ପକାଇ ଚାଲିଥିଲା। ଧୀରେନ୍ଦ୍ରଙ୍କ ପାଟିଶୁଣି ପରିବାର ଲୋକ ଧାଇଁ ଆସିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଧୀରେନ୍ଦ୍ରଙ୍କ ଭାଇ ବୀରକିଶୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁର୍ଗାକୁ ଗିରଫ କରିଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର