ଯୁବକଙ୍କୁ ପିଟିପିଟି ହତ୍ୟା!

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ମ୍ୟୁନିସପାଲଟି ୧୧ ନମ୍ବର ୱାର୍ଡର ଫକୀରପୁର ତଳସାହିର ଦୀପକ ଦାଶ (୨୮ବର୍ଷ) ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶ୍ବଶୁର ଘର ଲୋକ ତାଙ୍କୁ ହତ୍ୟା କରିଥିବା ମୃତ ଦୀପକଙ୍କ ବାପା କାଶୀନାଥ ଦାଶ ଥାନାରେ ଅଭିଯୋଗ ‌କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଯୁବକଙ୍କ ପତ୍ନୀକୁ ଅଟକ ରଖି ପଚରାଉଚରା କରୁଛି। ପ୍ରାପ୍ତ ସୂଚନା ଅନୁସାରେ, ଫକୀରପୁର ତଳସାହିର କାଶୀନାଥ ଦାଶଙ୍କ ପୁଅ ଦୀପକ (୨୮) ପତ୍ନୀ ସୁମିତ୍ରାଙ୍କୁ ନେଇ ଗତ ରବିବାର ବାଲେଶ୍ବର ଜିଲ୍ଲା ମାର୍କୋଣା ସ୍ଥିତ ଭଉଣୀକୁ ଘରକୁ ଯାଇଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ଶ୍ବଶୁର ଘର ଲୋକେ ଦୀପକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଏକ ବୋଲେରୋରେ ଆଣି ଘର ବାରଣ୍ଡାରେ ପକାଇ ଦେଇଥିଲେ। ‘ତୁମ ପୁଅ ପ୍ରଚୁର ମଦ ପିଇଛି, ତାକୁ ରଖ ବୋଲି କହିଥିଲେ।’ କାଶୀନାଥ ଓ ସେଠାରେ ଉପସ୍ଥିତ ଥିବା କିଛି ଲୋକେ ‌ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଫେରାର୍‌ ହୋଇଯାଇଥିଲେ। ଦୀପକଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ତୁରନ୍ତ ଜଣେ ଫାର୍ମାସିଷ୍ଟଙ୍କୁ ଡକାଯାଇଥିଲା। ଫାର୍ମାସିଷ୍ଟ ପହଞ୍ଚି ଯାଞ୍ଚ କରିବା ପରେ ଦୀପକ ମୃତ ବୋଲି କହିଥି‌ଲେ। ଏହାକୁ କେନ୍ଦ୍ରକରି ଫକୀରପୁରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, କେଉଁ ପରିସ୍ଥିତିରେ ଦୀପକଙ୍କ ମୃତ୍ୟୁ ଘଟିଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିବା ବେଳେ ତାଙ୍କ ପୁଅକୁ ପିଟିପିଟି ହତ୍ୟା କରାଯାଇଛି ବୋଲି ବାପା କାଶୀନାଥ ଆନନ୍ଦପୁର ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର