ଅଢ଼େଇ ବର୍ଷ ବୟସରେ ମା’ଙ୍କ ହତ୍ୟା ଦେଖିଥିବା ପୁଅ ୨୦ବର୍ଷ ପରେ ନେଲା ଏଭଳି ପ୍ରତିଶୋଧ

ନୂଆଦିଲ୍ଲୀ: ହରିୟାଣାର ରୋହତକରେ ବସବାସ କରୁଥିବା ଜଣେ ଯୁବକ ତାର ମା’ର ହତ୍ୟାର ପ୍ରତିଶୋଧ ନେଇଛି। ଅ‌ଢ଼େଇ ବର୍ଷର ହୋଇଥିବା ବେଳେ ସେ ମା’ଙ୍କ ହତ୍ୟା ଦେଖିଥିଲା। ତାର ଆଖି ସାମ୍ନାରେ ତିନିଜଣ ଆସି ମା’କୁ ହତ୍ୟା କରି ଚାଲି ଯାଇଥିଲେ। ହତ୍ୟାକରି ଥିବା ତିନିଜଣଙ୍କ ମଧ୍ୟରୁ  ପୂର୍ବରୁ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ଜଣେ ବଞ୍ଚି ରହିଥିଲା। ଏହି ହତ୍ୟାକାରୀକୁ ପୁଅ ୨୦ବର୍ଷ ପରେ ହତ୍ୟା କରି ପ୍ରତିଶୋଧ ନେଇଛି।

ସୂଚନାଯୋଗ୍ୟ, ରୋହତକ ଜିଲ୍ଲାର ଘିରୋଠି ଗ୍ରାମରେ ଗତ ଶୁକ୍ରବାର-ଶନିବାର ରାତିରେ ୬୫ବର୍ଷର ସୁରଜିତ ନାମକ ବୃଦ୍ଧଙ୍କ ମୁଣ୍ଡକୁ ପାହାର ପକାଇ ହତ୍ୟା କରିଥିଲା ସୁନୀଲ। ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୁଲିସ ଦେଖିବାକୁ ପାଇଥିଲା କି ଜଣେ ଯୁବକ ରାତି ସମୟରେ ମୃତକଙ୍କ ଘରୁ ବାହାରକୁ ଆସୁଛି।

ସିସିଟିଭି ଫୁଟେଜ ଆଧାରରେ ପୁଲିସ ହତ୍ୟାକାରୀ ସୁନୀଲକୁ ଗିରଫ କରିଥିଲା। ସୁନୀଲ ସୁରଜିତଙ୍କୁ ହତ୍ୟା କରିଥିବା କଥା ପୁଲିସ ସାମ୍ନାରେ ସ୍ବୀକାର ବି କରିଥିଲା। ଏଥିସହିତ କାହିଁକି ଏଭଳି ଏକ ଅପରାଧିକ କାଣ୍ଡ ଘଟାଇଲା ତାହା ମଧ୍ୟ ପୁଲିସ ସମ୍ମୁଖରେ ବଖାଣିଥିଲା।

ସୁନୀଲ ପୁଲିସକୁ କହିଥିଲା, ‘ମୋ ମା’ଙ୍କୁ ତିନିଜଣ ହତ୍ୟା କରିଥିଲେ। ହତ୍ୟାକାରୀ ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ପୂର୍ବରୁ କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିବା ବେଳେ ସୁରଜିତ ବଞ୍ଚି ରହିଥିଲା। ସବୁବେଳେ ଗ୍ରାମବାସୀମାନେ ମୋତେ କହୁଥାଆନ୍ତି କି ମା’ର ହତ୍ୟାକାରୀ ବୁଲୁଛି ତୁ କିନ୍ତୁ କିଛି କରି ପାରୁନାହିଁ। ମୁଁ ସେମାନଙ୍କ କଥା ପ୍ରଥମେ ପ୍ରଥମେ ଶୁଣୁ ନଥିଲି। କିନ୍ତୁ ବାରମ୍ବାର ମୋତେ ସେମାନେ ଏଭଳି କଥା କହିଥାଆନ୍ତି। ମା’ କଥା ମନେ ପଡ଼ିଗଲେ ମୋତେ ବି କଷ୍ଟ ହୋଇଥାଏ। ତେଣୁ ଗତ ଶୁକ୍ରବାର ଓ ଶନିବାର ରାତିରେ ଲୁହାରଡ଼ରେ ସୁରଜିତ ଶୋଇଥିବା ବେଳେ ମୁଣ୍ଡକୁ ଚୋଟଟେ ପକାଇଥିଲି। ଆଉ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା।’

ସମ୍ବନ୍ଧିତ ଖବର