ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାନ୍ଦାଠାରେ ଘଟିଯାଇଛି ଏକ ସମ୍ବେଦନଶୀଳ ଘଟଣା। ନିଜର ଜେଜେ ଓ ଜେଜେମାଆଙ୍କ ପ୍ରତି ଅନାବିଳ ସ୍ନେହ ଜଣେ ନାତିକୁ ଅପରାଧୀ ସଜାଇଛି। ଜାଣିବାକୁ ମିଳିଛି ଯେ ଜେଜେ ଓ ଜେଜେମାଆଙ୍କୁ ଅପମାନ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛି ନାତି। ପୁଲିସ୍‌ ଏହି ମାମଲାରେ ଅଭିଯୁକ୍ତ ନାତିଙ୍କୁ ଗିରଫ କରି ସାରିଛି। ପୁଲିସ୍‌ ପଚରାଉଚରା କରିବାରୁ ଅଭିଯୁକ୍ତ ନିଜ ମୁହଁରେ ଅପରାଧ ସ୍ବୀକାର କରିଛନ୍ତି। ଏହି ମାମଲା ବିସଣ୍ଡା ଥାନାର ପାରାବିହାରି ଗ୍ରାମର।

Advertisment

ତାଙ୍କ କହିବା ଅନୁସାରେ ସେ ଜଣେ ବାପାମାଆ ଛେଉଣ୍ଡ। ପିଲାଟି ଦିନରୁ ନିଜ ଜେଜେ ଓ ଜେଜେମାଆଙ୍କ ପାଖରେ ରଖି ବଡ଼ ହୋଇଛନ୍ତି। ତାଙ୍କ ଜେଜେ ଓ ଜେଜେମାଆ ତାଙ୍କୁ ଖୁବ୍‌ ସ୍ନେହ କରନ୍ତି। ତାଙ୍କ ଜେଜେ ଓ ଜେଜେମାଆଙ୍କୁ କେହି କିଛି କହିଲେ ସେ ସହ୍ୟ କରିପାରନ୍ତି ନାହିଁ। ମୃତକ ‌ମୋତିଲାଲ ଅନେକ ଥର ତାଙ୍କ ଘରକୁ ଆସି ତାଙ୍କ ଜେଜେ ଓ ଜେଜେମାଆଙ୍କୁ ଧମକ ଚମକ କରନ୍ତି। ଯାହା ତାଙ୍କୁ ଆଦୌ ଭଲ ଲାଗେ ନାହିଁ।

ଦିନେ ସେ ମୋତିଲାଲଙ୍କୁ ଡାକିଲେ। ସେଠାରେ ସେ ପ୍ରଥମେ ମୋତିଲାଲଙ୍କୁ ମଦ୍ୟପାନ କରାଇଥିଲେ। ତାପରେ ଗାମୁଛାରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ତାପରେ ଧରାପଡ଼ିଯିବା ଭୟରେ ମୃତଦେହକୁ ଏକ ନାଳରେ ପିଙ୍ଗି ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ବାଇକ୍‌ ଓ ମୃତକ ମୋତିଲାଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି।