କୁଶୀନଗର: ଉତ୍ତରପ୍ରଦେଶର କୁଶୀନଗରରେ ଆଜି (ସୋମବାର) ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୁଣି ଦେଖିବାକୁ ମିଳିଛି ଏକ ଭିଡ ହିଂସା। ଉତ୍ତରପ୍ରଦେଶର କୁଶୀନଗରରେ ଉତ୍ୟକ୍ତ ଗ୍ରାମବାସୀ ଆଇନ୍‌କୁ ନିଜ ହାତକୁ ନେବା ସହ ଜଣେ ଅଭିଯୁକ୍ତ ହତ୍ୟାକରୀକୁ ପୁଲିସ୍‌ କବଳରୁ ଛଡ଼ାଇ ଆଣବା ସହ ଘଟଣା ସ୍ଥଳରେ ତାକୁ ପିଟିପିଟି ହତ୍ୟା କରିଛନ୍ତି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଏହି ଘଟଣା ଘଟିଛି କୁଶୀନଗରର ତାରାୟାସୁଜନ ପୁଲିସ ଥାନା ଅନ୍ତର୍ଗତ ରାମପୁର ବଙ୍ଗଳା ଅଞ୍ଚଳରେ। ଏହି ଗ୍ରାମରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ସୁଧୀର ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କ ବାସଭବନରେ ଶୋଇଥିବା ବେଳେ ଆଜି ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ତାଙ୍କ ଘର ଭିତରେ ପ୍ରବେଶ କରି ତାଙ୍କୁ ଗୁଳି କରି ହତ୍ୟା କରିଥିଲା। ଶିକ୍ଷକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଦୁର୍ବୃତ୍ତ ଜଣକ ମୃତକଙ୍କ ଛାତ ଉପରକୁ ଚଢ଼ି ଯାଇ ଶୂନ୍ୟକୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ଏହି ଘଟଣାରେ ସମଗ୍ର ଗ୍ରାମରେ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।

Advertisment

publive-image
ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ଦୁର୍ବୃତ୍ତକୁ ଗିରଫ କରିଥିଲା। ହେଲେ, ଦୁର୍ବୃତ୍ତର ଗୁଳି ଚୋଟରେ ଶିକ୍ଷକଙ୍କ ଦେହାନ୍ତ ହୋଇଯାଇଥିବା ଖବର ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ଉତ୍ୟକ୍ତ ହୋଇପଡ଼ିଥିଲେ। ଏବଂ ଆଇନକୁ ନିଜ ହାତକୁ ନେବା ସହ ଅଭିଯୁକ୍ତକୁ ପୁଲିସ କବଳରୁ ଛଡ଼ାଇ ନେଇ ଆସିଥିଲେ। ପୁଲିସ୍‌ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପାଇଁ ବହୁ ଉଦ୍ୟମ କରିଥିଲେ ସୁଦ୍ଧା ସବୁ ଉଦ୍ୟମ ବୃଥା ଯାଇଥିଲା। ଅଭିଯୁକ୍ତ ଦୁର୍ବୃତ୍ତକୁ ପୁଲିସ୍‌ କବଳରୁ ଛଡ଼ାଇ ନିଜ କବଳକୁ ନେଇ ଆସିବା ପରେ ଉତ୍ୟକ୍ତ ଜନତା ତାକୁ ଘେରି ଯାଇଥିଲେ ଓ ପୁଲିସ୍‌ ସମ୍ମୁଖରେ ବାଡ଼ିରେ ପିଟିପିଟି ତାକୁ ନିର୍ମମ ଭାବେ ହତ୍ୟା କରିଥିଲେ।