ବେକରେ ଗାମୁଛା ଗୁଡ଼ାଇ ପତ୍ନୀକୁ ହତ୍ୟା, ସ୍ୱାମୀ ଫେରାର

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁର ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ତାଙ୍କ ଶ୍ୱଶୁର ସୁକାନ୍ତ ମଲ୍ଲିକ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଝିଅ ମାମିନା ମଲ୍ଲିକଙ୍କୁ ବେକରେ ଗାମୁଛା ଗୁଡ଼ାଇ ଜ୍ୱାଇଁ ଛବି ମଲ୍ଲିକ୍‌ (୪୦) ହତ୍ୟା କରିଥିବା ନେଇ ଏତାଲାରେ ଦର୍ଶାଇଛନ୍ତି। ସୁକାନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ କେସ୍‌ ନଂ ୫୭ / ୧୮ରେ ଏକ ହତ୍ୟା ମାମଲା ରୁଜୁକରି ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି। ପ୍ରାପ୍ତ ସୂଚନାନୁଯାୟୀ ୨୦୧୪ରେ ଏହି ଥାନା ଅଧୀନ ସୁଦଷଡ଼ଙ୍ଗୀ ଗ୍ରାମର ବାଲିଅନ୍ତା ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ବାବାଜୀ ମଲ୍ଲିକଙ୍କ ପୁଅ ଛବି କାକରୁଦ୍ରପୁର ଗ୍ରାମର ସୁକାନ୍ତ ମଲ୍ଲିକଙ୍କ ଝିଅ ମାମିକୁ ବିବାହ କରିଥିଲେ। ସେମାନଙ୍କର ୩ ବର୍ଷର ପୁଅ ମଧ୍ୟ ଅଛି। ଶୁକ୍ରବାର ଛବି ଓ ମାମିନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଭୀଷଣ ଝଗଡ଼ା ହୋଇଥିଲା। ଏଣେ ଛବି ଗ୍ରାମରେ ବାହାଘର ଭୋଜି ଖାଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲା। ଉଭୟ ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛବି ପାଖରେ ଥିବା ଗାମୁଛାରେ ମାମିନାଙ୍କ ବେକରେ ଗୁଡ଼ାଇ ତାଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମାମିନା ନିସ୍ତେଜ ହୋଇଯିବା ପରେ ଛବି ଭୟରେ କଣ କରିବ ବୋଲି ଭାବି ହଡ଼ବଡ଼େଇ ଯାଇଥିଲା ଏବଂ ଘର ବାହାରକୁ ଆସି ଏପାଖ ସେପାଖ ହେଉଥିଲା। ଏପଟେ ପାଟିଶୁଣି ମାମିନାଙ୍କ ମା’ ଆଶା ଜ୍ୱାଇଁ ବାହାରେ ବୁଲୁଥିବାର ଦେଖି କ’ଣ ହୋଇଛି ବୋଲି ପଚାରିଥିଲେ। ରାଗରେ ମାମିନାକୁ ମାରି ଦେଇଥିବା କଥା କହି ଛବି ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ଆଶା ସେମାନଙ୍କ ଶୋଇବା ଘରେ ପଶି ଦେଖନ୍ତି ତ ସତକୁ ସତ ଝିଅ ଖଟ ଉପରେ ମରି ପଡ଼ିଛି। ଆଉ ତା ବେକରେ ଏକ ଗାମୁଛା ଗୁଡ଼ାହୋଇ ରହିଛି। ତଦନ୍ତ ବେଳେ ଘଟଣାସ୍ଥଳରୁ ବାଲିଅନ୍ତା ଥାନା ପୁଲିସ ଉକ୍ତ ଗାମୁଛାଟିକୁ ମଧ୍ୟ ଜବତ କରିଛି । ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହିତ ପାରିପାର୍ଶ୍ୱିକ ପରିସ୍ଥିତିକୁ ବି ଅନୁଧ୍ୟାନ କରିଥିଲା। ଅନ୍ୟ ପକ୍ଷରେ ଫେରାର ଛବି ବାଲିଅନ୍ତା ଥାନାର ଜଣେ କର୍ମଚାରୀଙ୍କ ପୁଅ ହୋଇଥିବାରୁ ପୁଲିସ ତାଙ୍କୁ ଖସାଇ ଦେବାକୁ ଯୋଜନା କରୁଥିବା ମୃତ ମାମିନାଙ୍କ ପରିବାର ଲୋକ କହିଛନ୍ତି ।

ସମ୍ବନ୍ଧିତ ଖବର