ବିବାହ ଦିନ ଜୀବନ ହାରୁଥିଲେ, ବିଫଳ ହେବାରୁ ପରେ ସ୍ବାମୀର ଜୀବନ ନେଲେ

ପାଟ୍‌ନା: ବିହାରର ପାଟ୍‌ନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ନିଜ ସ୍ବାମୀଙ୍କୁ ହତ୍ୟା କରି ୬ ମାସର ଛୁଆକୁ ଧରି ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତକଙ୍କ ପରିବାର ଲୋକ ପୁଲିସ୍‌କୁ କହିଛନ୍ତି କି ୨୦୨୧ରେ ପାଟ୍‌ନାର ବାସିନ୍ଦା ଯୁବତୀ କବିତାଙ୍କ ସହ ଗୌରୀଛକ ଥାନା ଅଞ୍ଚଳର ପପୁ କୁମାରଙ୍କ ବିବାହ ହୋଇଥିଲା। ବିବାହ ଦିନ ହିଁ କବିତା ନିଦ ବଟିକା ଖାଇ ଅତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କାରଣ ସେ ବିବାହ ପରେ ଗାଁରେ ନୁହେଁ, ସହରରେ ରହବାକୁ ଚାହୁଁଥିଲେ। ତାଙ୍କ ଶଶୁରଘର ଗ୍ରାମରେ ହୋଇଥିବାରୁ ସେ ନିଜ ଜୀବନ ହାରିବାକୁ ଚେ‌ଷ୍ଟା କରିଥିଲେ। ଏପରିକି ଏହି ଘଟଣାକୁ ନେଇ ତାଙ୍କ ଶଶୁରଘର ପକ୍ଷ ଲୋକ ବରଯାତ୍ରୀ ନେଇ ଫେରି ଯାଇଥିଲେ। ହେଲେ ତା’ପରେ ବନ୍ଧୁ ପରିଜନ କଥାବାର୍ତ୍ତା ହୋଇ ତାଙ୍କ ବିବାହ କରାଇ ତାଙ୍କୁ ଶାଶୂଘର ବିଦା କରିଥିଲେ।

ଶାଶୂଘରକୁ ଯିବା ପରେ ସେ ନିଜ ସ୍ବାମୀଙ୍କୁ ପାଟ୍‌ନା ସହରରେ ରହିବାକୁ ଚାପ ପକାଇ ଆସୁଥିଲେ। ଏହି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ସୂଚନାରୁ ଜାଣିବାକୁ ମିଳିଛି  ଯେ ମହିଳା ଗତ ରାତିରେ ନିଜ ସ୍ବାମୀଙ୍କ ମୁହଁରେ ତକିଆ ମାଡ଼ି ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର