ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା କରି ୨୬୦ କିଲୋ ସିମେଣ୍ଟ୍‌ରେ ପ୍ଲାଷ୍ଟର୍‌ କଲେ ହତ୍ୟାକାରୀ ଦମ୍ପତି

ବଡ଼ୋଦରା: ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ଶବକୁ ଏକ ପାଣି ଟାଙ୍କିରେ ପକାଇବା ପରେ ସେଥିରୁ ଦୁର୍ଗନ୍ଧ ନ ବାହାରିବା ପାଇଁ ୧୪ ବସ୍ତା ସିମେଣ୍ଟ୍‌ ଢଳାଯାଇ ଯାଇଥିବା କଥା ଗୁଜରାଟ ପୁଲିସ ଜାଣି ପାରିଛି।

ନଭେମ୍ବର ୧୪ ତାରିଖ ଦିନ ୨୮ ବର୍ଷୀୟ ଅଙ୍ଗନବାଡ଼ି କର୍ମୀ ନନ୍ଦା ସିସୋଦିୟା ଏବଂ ତାଙ୍କର ୩ ବର୍ଷୀୟ ପାଳିତା କନ୍ୟା ଶିୟୋନା ଓରଫ୍‌ ଏଞ୍ଜେଲ୍‌ ନିଖୋଜ ହେବା ପରେ ପୁଲିସ ତଲାସ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ମଞ୍ଜୁ ଭାବୋର ଏବଂ ତାଙ୍କ ସ୍ୱାମୀ ଦିଲୀପଙ୍କ ଉପରେ ସନ୍ଦେହ ଆଣିଥିଲା।

ନଭେମ୍ବର ୨୩ ତାରିଖ ଦିନ ଲିମଖେଦା ନିକଟ ହାଦଫ୍‌ ନଦୀରୁ ଶିୟୋନାଙ୍କ ଶବ ଉଦ୍ଧାର କରାଯିବା ପରେ ଉକ୍ତ ଦମ୍ପତିଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରାଯାଇଥିଲା। ମାଆଝିଅ ଦିହେଁ ମଞ୍ଜୁଙ୍କୁ ଭେଟିବାକୁ ଯିବା ପରେ ନିରୁଦ୍ଦେଶ ହୋଇ ଯାଇଥିଲେ। ମଞ୍ଜୁ ହେଉଛନ୍ତି ଜଣେ ଅଙ୍ଗନବାଡ଼ି କର୍ମୀ ଏବଂ ନନ୍ଦା ତାଙ୍କର ପ୍ରିୟ ବାନ୍ଧବୀ।

ସିସିଟିଭି କ୍ୟାମେରା ଫୁଟେଜ୍‌, ନନ୍ଦାଙ୍କ ଫୋନ୍‌ ଥିବା ସ୍ଥାନ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ିଥିଲା କି, ନନ୍ଦା ଓ ଶିୟୋନି ଭାଭୋର ଦମ୍ପତିଙ୍କ ଘରକୁ ହିଁ ଯାଇଥିଲେ। ଏହାକୁ ଆଧାର କରି ପୁଲିସ ନରହତ୍ୟା ମାମଲା ରୁଜୁ କରି ପଚରା ଉଚୁରା ପାଇଁ ଦମ୍ପତିଙ୍କୁ ଉଠାଇ ଆଣିଥିଲା।
ପଚରାଉଚୁରା ସମୟରେ ଦମ୍ପତି କାନ୍ଦି ପକାଇ କହିଥିଲେ କି, ୧୭ ତାରିଖ ଦିନ ସେମାନେ ନନ୍ଦାଙ୍କ ତଣ୍ଟିଚିପି ମାରିଛନ୍ତି। ଶିୟୋନି କାହାକୁ ଏ କଥା କହିଦେବ, ସେଇ ଭୟରେ ସେମାନେ ତାକୁ ମାରି ନଈରେ ପକାଇ ଦେବାକୁ ସ୍ଥିର କରିଥିଲେ।

ତା’ପରେ ଦମ୍ପତି ନନ୍ଦାଙ୍କୁ ଦାହୋଦ୍‌-ଗୋଧ୍ରା ରୋଡ୍‌ ଶ୍ରୀରାମ କଲୋନିରେ ଥିବା ସେମାନଙ୍କ ଘର ପଛପଟ ପାଣିଟାଙ୍କିରେ ପକାଇ ଦେଇଥିଲେ। ୧୮ ତାରିଖ ଦିନ ସେମାନେ ରୋହିତ ସଙ୍ଗଡ଼ା ନାମକ ଜଣେ ବ୍ୟକ୍ତିଙ୍କ ସହାୟତାରେ ୧୪ ବସ୍ତା ସିମେଣ୍ଟ୍‌ ଆଣି ସେ ଟାଙ୍କିରେ ପକାଇ ଦେଇଥିଲେ। ପରେ ସିମେଣ୍ଟ୍‌ କଠିନ ହୋଇଯିବାରୁ ଆଉ ଦୁର୍ଗନ୍ଧ ବାହାରି ନ ଥିଲା।

ପୁଲିସ ପଥର ଭଙ୍ଗା ଉପକରଣ ଆଣି ସେ କଠିନ ସିମେଣ୍ଟ୍‌ସ୍ତରକୁ ଭାଙ୍ଗି ମଙ୍ଗଳବାର ଅପରାହ୍ଣରେ ନନ୍ଦାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦମ୍ପତିଙ୍କୁ ବୁଧବାର ଦିନ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର